ରତ୍ନଭଣ୍ଡାରରେ ରହିଛି ସର୍ପ ଗର୍ତ୍ତ !
ପୁରୀ: “ଭିତର ରତ୍ନଭଣ୍ଡାରର ପୂର୍ବ ଓ ପଶ୍ଚିମ କାନ୍ଥରେ ରହିଛି ୨ଟି ବଡବଡ ଗର୍ତ୍ତ। ଏହି ଗର୍ତ୍ତରେ ବିରାଟ ସର୍ପ ଯିବାଆସିବା କରିପାରିବାର ପଥ ରହିଛି। କୁହାଯାଏ ଶ୍ରୀ ଲୋକନାଥ ସର୍ପ ରୂପରେ ଭଣ୍ଡାର ରକ୍ଷା କରନ୍ତି। ପୂର୍ବରୁ ଏହି ସର୍ପଙ୍କୁ ମହାପ୍ରସାଦ ସମର୍ପଣର ବିଧି ରହିଥିଲା”। ଏହି ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବାକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ବୁଦ୍ଧିଜୀବୀ ମହଲରେ ବିଭିନ୍ନ କଥା ଶୁଣିବାକୁ ମିଳୁଛି। ସାମ୍ନାକୁ ଆସୁଛି ଅନେକ ଚାଞ୍ଚଲ୍ୟକର ତଥ୍ୟ। ଫଳରେ ରହସ୍ୟମୟ ରତ୍ନଭଣ୍ଡାରରେ ରହିଥିବା ଠାକୁରଙ୍କ ଦୁର୍ମୂଲ୍ୟ ଅଳଙ୍କାର ବାବଦରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏହି ଅବସରରେ ଆମର ହସ୍ତଗତ ହୋଇଛି ମିଶ୍ରଙ୍କ ମତ। ମିଶ୍ର ମନ୍ଦିରର ସହକାରୀ ପ୍ରଶାସକ ଭାବେ କାର୍ଯ୍ୟ କରୁଥିବା ବେଳେ ଶ୍ରୀଜୀଉଙ୍କ ଅଳଙ୍କାର ମରାମତି ଲାଗି ଭିତର ଭଣ୍ଡାର ଖୋଲା ଯାଇଥିଲା। ଆଉ ସେହି ପ୍ରଥମ ଭିତର ରତ୍ନଭଣ୍ଡାରେ ସେ ଯାହା ଦେଖିଥିଲେ ସେ ବିଷୟରେ କହିଛନ୍ତି ।
ରବୀନ୍ଦ୍ର ନାରାୟଣଙ୍କ କାର୍ଯ୍ୟକାଳ ସମୟରେ ଭିତର ରତ୍ନଭଣ୍ଡାର ଖୋଲା ଯାଇଥିଲା। ଏହା ଅତି କ୍ଷୁଦ୍ର ଉଚ୍ଚତା ସମ୍ପନ୍ନ ଗୃହ ହୋଇଥିବା ବେଳେ ଏହାର ପୂର୍ବ ଓ ପଶ୍ଚିମ କାନ୍ଥରେ ସର୍ପ ଘୋଷରା ଚିହ୍ନ ରହିଛି। ଏପରିକି ଏହି କାନ୍ଥକୁ ସଂଲଗ୍ନ କରି ୨ଟି ବିରାଟ ଗର୍ତ୍ତ ମଧ୍ୟ ରହିଥିବା ସେ ଦେଖିଛନ୍ତି। ଏହି ଗର୍ତ୍ତରେ ବିରାଟ ସର୍ପ ଯିବା ଆସିବା କରିବାର ପଥ ରହିଛି। ଏଣୁ ଏଠାରେ ବହୁ ସାପ ରହିଥିବା ସେ ଅନୁମାନ କରନ୍ତି ବୋଲି କହିଛନ୍ତି। ମିଶ୍ରଙ୍କ ଏହି ମତ ଶୁଣି ଆମେ ବିସ୍ମିତ ହୋଇଥିଲୁ। ଏ ବାବଦରେ ଅଧିକ ପଚରାଯିବାରୁ ସେ ଗୋଟିଏ କଥା କହିଥିଲେ ଯାହା ବୈଜ୍ଞାନିକ ଭିତ୍ତିରେ ସତ ହୋଇପାରେ। ଦୀର୍ଘଦିନ ବନ୍ଦ ରହୁଥିବା ଗୃହ ଭିତରେ ଛୋଟ ଛୋଟ ପୋକଜୋକ ରହୁଥାଇପାରନ୍ତି। ହେଲେ ରତ୍ନଭଣ୍ଡାର ଖୋଲିବା ସମୟରେ ଛୋଟିଆ ପୋକଜୋକ ମଧ୍ୟ ଦେଖିବାକୁ ମିଳି ନ ଥିଲେ। ଏଣୁ ହୋଇପାରେ ଏଥିରେ ଥିବା ସର୍ପ ଏ ସବୁକୁ ଖାଇଦେଉଥିବେ। ହେଲେ ସେ ଉକ୍ତ ଅଳଙ୍କାର ମରାମତି ସମୟରେ ଦୀର୍ଘ ୭୦ ଦିନ କାଳ ଏହି କାର୍ଯ୍ୟରେ ନିୟୋଜିତ ଥିବା ବେଳେ କେବେ ହେଲେ ସର୍ପ ରହିଥିବା ଦେଖିନାହାନ୍ତି କି କୌଣସି ଶବ୍ଦ ମଧ୍ୟ ଶୁଣିନାହାନ୍ତି। ହେଲେ ସର୍ପ ରହିଥିବା ଭୟରେ ମହାପ୍ରଭୁଙ୍କ କାର୍ଯ୍ୟ ଶୀଘ୍ର ଓ ସୁରୁଖୁରୁରେ ସମ୍ପନ୍ନ ହୋଇ ଏକ ତାଲିକା ପ୍ରସ୍ତୁତ ହୋଇଥିବା ମିଶ୍ର କହିଛନ୍ତି।
ସାଧାରଣତଃ ଜଗମୋହନକୁ ସଂଲଗ୍ନ କରୁଥିବା ରତ୍ନଭଣ୍ଡାର ୪ ଭାଗରେ ବିଭକ୍ତ ହୋଇଥାଏ, ଓ ଏହା କେବେ ବି ଖୋଲେନାହିଁ। ବାହାର ରତ୍ନଭଣ୍ଡାର ବର୍ଷର ଖୁବ୍ କମ୍ ଦିନ ଖୋଲାଯାଏ। ଏଠାରେ ଥିବା ଯତ୍କିଞ୍ଚିତ୍ ରତ୍ନ ଓ ସ୍ୱର୍ଣ୍ଣ ଅଳଙ୍କାରରେ ମହାପ୍ରଭୁଙ୍କ ବର୍ଷଯାକାର ବେଶ ଓ ନୀତିକାନ୍ତି ପରିଚାଳିତ ହୋଇଥାଏ। ମାତ୍ର ଭିତର ୩ଟି ଭଣ୍ଡାର ଖୋଲାଯାଏ ନାହଁ। କାରଣ ଏହି ୩ଟି ରତ୍ନଭଣ୍ଡାର ଅତ୍ୟନ୍ତ ରହସ୍ୟମୟ ହୋଇଥାଏ। ତେବେ ଏଗୁଡିକ ମଧ୍ୟରୁ ପ୍ରଥମ ଭିତର ରତ୍ନଭଣ୍ଡାର କଥା କହିଛନ୍ତି ମିଶ୍ର। ସମ୍ଭବତଃ ଏହି ଘଟଣା ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଥିଲା। ତତ୍କାଳୀନ ପ୍ରଶାସକ ଓ ଜିଲାପାଳଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ସମ୍ପର୍କିତ ତଥ୍ୟ ପୁସ୍ତକ ଆକାରରେ ପ୍ରକାଶ ପାଇଥିଲା। ଏହି ତାଲିକାର ଅଳଙ୍କାର ନାମ ଓ ଓଜନ ଉଲ୍ଲେଖ ହୋଇଥିବା ବେଳେ ଦୁର୍ମୂଲ୍ୟ ହୋଇଥିବାରୁ ଏହାର ଦାମ୍ କସାଯାଇପାରି ନ ଥିଲା ବୋଲି ମିଶ୍ର କହିଛନ୍ତି।