ଅନର କିଲିଂ ସନ୍ଦେହ

କଟକ  : କେମିତି ହେଲା କଟକ ନିଆଳି ଅଞ୍ଚଳର କଲେଜ ପଢୁଆ ଝିଅର ମୃତ୍ୟୁ? ସନ୍ଦେହଜନକ ଏହି ମୃତ୍ୟୁକୁ ନେଇ ଉଠିଛି ନାନାଦି ପ୍ରଶ୍ନ। ଘର ଲୋକେ ହୃଦଘାତରୁ ମୃତ୍ୟୁ ହୋଇଥିବା କହୁଥିଲେ ବି ପାରିପାର୍ଶ୍ୱିକ ସ୍ଥିତି କିନ୍ତୁ ଅନ୍ୟ ଏକ ଭୟଙ୍କର ଦିଗକୁ ସୂଚାଉଛି। ଅଭିଯୋଗ ଅନୁଯାୟୀ, ଗତ ଶନିବାର ଦିନ ମେଡିକାଲ୍ ନେବା ବାହାନାରେ ନାବାଳିକାଙ୍କ ମୃତଦେହକୁ ବାଇକ୍‌ରେ ବୋହି ନେଇ ମଶାଣିରେ ପୋଡ଼ି ଦେଇଥିଲେ ତାଙ୍କ ବଡ଼ ବାପାଙ୍କ ଦୁଇ ପୁଅ।  ନା ପୋଲିସ କି ସାହି ପଡ଼ିଶା, କାହାରିକୁ ବି ଜଣାଇନଥିଲେ। ତେଣୁ ଲୁଚା ଛପାରେ ଶବ ସଂସ୍କାର ଘଟଣାରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଆଲୋଚନା ହେଉଛି।

ଗାଁ ଲୋକଙ୍କ କହିବାନୁସାରେ ବାପ ଛେଉଣ୍ଡ ଏ ନାବାଳିକାର ମାଆ ଜଣେ ମାନସିକ ରୋଗୀ। ଅଭିଭାବକ କହିଲେ ବଡ଼ବାପା ଏବଂ ତାଙ୍କ ଦୁଇ ପୁଅ। ଏବେ ପ୍ରଶ୍ନ ନିଜ ପରିବାର ଲୋକଙ୍କ ହାତରେ କାହିଁକି ବଳି ପଡ଼ିଲା ଝିଅ ? ଏହା ଅନର୍ କିଲିଂ ନୁହେଁ ତ? ତାସହ ସାହିପଡ଼ିଶାଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି, ଜଣେ ସ୍ଥାନୀୟ ଯୁବକଙ୍କ ସହ ଝିଅର ପ୍ରେମ ସମ୍ପର୍କ ଜଣାପଡ଼ିବା ପରେ ଗାଁରେ ବୈଠକ ବସିବାର ଥିଲା।  କିନ୍ତୁ ତା ପୂର୍ବରୁ ଲୋକଲଜ୍ଜା ଭୟରେ ପରିବାର ଲୋକେ ନେଇଛନ୍ତି ଏଭଳି ଚରମ ପଦକ୍ଷେପ।

ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ମଶାଣିକୁ ଯାଇ ନମୁନା ସଂଗ୍ରହ କରିବା ସହ ମୃତ ନାବାଳିକାର ବଡ଼ବାପାଙ୍କ ସମେତ ପରିବାରର ୪ ଜଣଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି।

ଘଟଣା ସମ୍ପର୍କରେ ନିଆଳି ଥାନାରେ କୌଣସି ଅଭିଯୋଗ ହୋଇନଥିଲେ ବି ପୋଲିସ ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

You might also like