ଅପହରଣ ପରେ ହତ୍ୟା!
ଭୁବନେଶ୍ୱର: ଭୁବନେଶ୍ୱର କୁଆଖାଇ ନଦୀପଠାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ମୃତ ଯୁବକଙ୍କ ପରିଚୟ ମିଳିଲା। ତାଙ୍କ ନାମ ଉନ୍ମୁକ୍ତ ପାଢୀ। ତାଙ୍କ ଘର ଭୁବନେଶ୍ୱର ବିଜେବି ନଗରରେ ବୋଲି ଜଣାପଡିଛି।
ସେ କଲିକତାରେ ଚାକିରୀ କରୁଥିଲେ, ଗତ କିଛି ମାସ ହେବ ଘରକୁ ଆସିଥିଲେ। ତାଙ୍କୁ ଅପହରଣ ପରେ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି।
ତେବେ କେଉଁ ପରିସ୍ଥିତିରେ, କିଏ ତାଙ୍କୁ ହତ୍ୟା କଲା ସେନେଇ ପୋଲିସ ଅନୁସନ୍ଧାନ ଜାରି ରଖିଛି। ଗତକାଲି ଭୁବନେଶ୍ୱର କୁଆଖାଇ ନଦୀପଠାରୁ ଉନ୍ମୁକ୍ତଙ୍କ ଗଳିତ ଶବକୁ ପୋଲିସ ଉଦ୍ଧାର କରିଥିଲା। ସ୍ଥାନୀୟ ଅଞ୍ଚଳର କିଛି ଲୋକ ନଦୀପଠାରେ ମୃତଦେହ ଦେଖି ପ୍ରଥମେ ମଞ୍ଚେଶ୍ୱର ଥାନାକୁ ଖବର ଦେଇଥିଲେ। ଯୁବକଙ୍କ ପେଟରେ ଛୁରାମାଡ ହୋଇଥିବା ବେଳେ ତାଙ୍କ ଶରୀରକୁ ପୋଡି ଦିଆଯାଇଛି।
ମୃତଦେହଠାରୁ ଅଳ୍ପ ଦୂରରେ ଲାପଟପ୍, ପେନଡ୍ରାଇଭ୍ ସହ ଜଣେ ମହିଳାଙ୍କ ଏକ ଚପଲ ମଧ୍ୟ ପୋଲିସ ଉଦ୍ଧାର କରିଛି। ସବୁଠାରୁ ବଡକଥା ହେଲା ଯୁବକଙ୍କ ପାଟିରେ ଇଟାଖଣ୍ଡ ଭର୍ତ୍ତି କରାଯାଇଥିବା ଜଣାପଡିଛି। ତେଣୁ ଏସବୁ ଦୃଷ୍ଟିରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି।