ରାଜ୍ୟରେ ଅମଲାରାଜ୍: ହୋଇପାରୁନି ଏମପି ଲାଡ୍ ଫଣ୍ଡ ବିନିଯୋଗ

ଭୁବନେଶ୍ୱର: ସାଂସଦ ପାଣ୍ଠି ବିନିଯୋଗ ପ୍ରମାଣପତ୍ର ଦାଖଲରେ ଅପାରଗ ଜିଲ୍ଲା ପ୍ରଶାସନ। ଏଭଳି ଅଭିଯୋଗ ଆଣି ସମ୍ବଲପୁର, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାପାଳଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ। ଏମିତିକି ତୁରନ୍ତ ୟା ଉପରେ ହସ୍ତକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି ଚିଠି। ଯେଉଁଥିରେ ନଗେନ୍ଦ୍ର ଦର୍ଶାଇଛନ୍ତି-୨୦୧୪ରୁ ୨୦୧୭ ମସିହା ମଧ୍ୟରେ ଏମ୍ପି ଲାଡ୍ ସ୍କିମରେ ତାଙ୍କୁ ୧୫ କୋଟି ଟଙ୍କା ମିଳିଥିଲା। ତେବେ ପ୍ରଶାସନିକ ତଦାରଖରେ ଅବହେଳାରୁ ଅନୁଦାନ ରାଶିର ସଠିକ୍  ବିନିଯୋଗ ହୋଇପାରିନି କି ବିନିଯୋଗ ହୋଇଥିବା ଅର୍ଥର ଉପଯୁକ୍ତ ଖର୍ଚ୍ଚ ପ୍ରମାଣପତ୍ର ବି ଦାଖଲ ହୋଇନି। ଫଳରେ ୨୦୧୭-୧୮ ଓ ୧୮-୧୯ ଆର୍ଥିକ ବର୍ଷରେ ତାଙ୍କୁ ମିଳିବାକୁ ଥିବା ଅନୁଦାନ ବନ୍ଦ କରିଛନ୍ତି କେନ୍ଦ୍ର ସରକାର।

ଖୋଦ୍ ଶାସକ ଦଳର ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ଏ ସମସ୍ୟା କେବଳ ସମ୍ବଲପୁରରେ ସୀମିତ ନା ରାଜ୍ୟର ଅନ୍ୟ ଲୋକସଭା କ୍ଷେତ୍ରରେ ବି ସମଦଶା ଭୋଗୁଛନ୍ତି ସାଂସଦ। ଜାଣିବାକୁ ଆମେ ବିଜେଡିର ଆଉ କିଛି ସାଂସଦଙ୍କୁ ପ୍ରତିକ୍ରିୟା ଜାଣିବାକୁ ଚେଷ୍ଟା କରିଥିଲୁ। ଅଧିକାଂଶ ବିନିଯୋଗ ପ୍ରମାଣପତ୍ର ବା ୟୁସି ଠିକ୍ ଭାବେ ଦିଆଯାଉନଥିବାରୁ ଅନୁଦାନ ମିଳିବାରେ ବାଧା ସୃଷ୍ଟି ହେଉଥିବା ଦର୍ଶାଇଥିଲେ ଢେଙ୍କାନାଳ ସାଂସଦ ତଥାଗତ ସତପଥୀ ଓ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ।

ତେବେ ଜିଲ୍ଲା ପ୍ରଶାସନର ୟୁସି ଦାଖଲରେ ବିଫଳତା ଯୋଗୁଁ ସାଂସଦଙ୍କୁ ଅନୁଦାନ ମିଳୁନି। ଯାହାକୁ ସଠିକ୍ ଦର୍ଶାଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଏବେ ଅପେକ୍ଷା ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ଚିଠି ଉପରେ କି ପଦକ୍ଷେପ ନେଉଛନ୍ତି ମୁଖ୍ୟମନ୍ତ୍ରୀ।

You might also like