ବିଜେଡିରୁ ଇସ୍ତଫା ଦେଲେ ସାଂସଦ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଲେ ସାଂସଦ ବୈଜୟନ୍ତ ପଣ୍ଡା। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି।

ସାଂସଦ ବୈଜୟନ୍ତ ପଣ୍ଡା ଦଳରୁ ଇସ୍ତଫା ଦେଇଥିବା ବେଳେ ଲୋକସଭାରୁ ଇସ୍ତଫା ନେଇ ଲୋକସଭା ବାଚସ୍ପତିଙ୍କୁ ପୃଥକ ଭାବେ ଜଣାଇବେ ବୋଲି ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି। ବାପାଙ୍କ ଶୁଦ୍ଧିକ୍ରିୟା ସରିବା ପରେ ସେ ବାଚସ୍ପତିଙ୍କୁ ତାଙ୍କ ଇସ୍ତଫାପତ୍ର ପଠାଇବେ ବୋଲି ଲେଖିଛନ୍ତି।

ବୈଜୟନ୍ତ ପଣ୍ଡା ୩ ପୃଷ୍ଠା ସମ୍ବଳିତ ଇସ୍ତଫା ପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ଇସ୍ତଫା ପତ୍ରରେ ନିଜ କ୍ଷୋଭ, ଦଳରେ ଅଲୋଡ଼ାପଣ ତଥା ପିତା ବଂଶୀଧରଙ୍କ ଶେଷଦର୍ଶନକୁ କେହି ନ ଯିବା ବାଧିଥିବା କଥା ଉଲ୍ଲେଖ କରିଛନ୍ତି।

ସେପଟେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହ ବିଜେଡି ଛାଡ଼ିଛନ୍ତି ତାଙ୍କର ବହୁ ସମର୍ଥକ। ତା’ସହ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ୍‌ର ପୂର୍ବତନ ସଭାପତି ସଲିମ୍ ଖାନ୍ ମଧ୍ୟ ବିଜେଡି ଛାଡ଼ିଛନ୍ତି। ସଲିମଙ୍କ ସହ ଛାତ୍ରନେତା ପ୍ରଫୁଲ୍ଲ ସ୍ୱାଇଁ ବି ବିଜେଡିରୁ ଇସ୍ତଫା ଦେଇଛନ୍ତି। ରାଜ୍ୟ ଛାତ୍ର ବିଜେଡି ସଂଗଠନର ପୂର୍ବତନ ସଂପାଦକ ହେଉଛନ୍ତି ପ୍ରଫୁଲ୍ଲ ସ୍ୱାଇଁ।

ସୂଚନାଥାଉ କି, ଗତ ଜାନୁଆରୀ ୨୪ ତାରିଖରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବୈଜୟନ୍ତଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା।

ଇସ୍ତଫା ପତ୍ରରେ ବୈଜୟନ୍ତ ଲେଖିଥିବା ମୁଖ୍ୟାଂଶ…

  • ଆମ ବିଜେଡିରେ ରାଜନୀତି ଯେଉଁସ୍ତରକୁ ଯାଇଛି ସେଭଳି ପରିସ୍ଥିତିରେ ମୁଁ ଅତ୍ୟଧିକ କ୍ଷୋଭ, ମର୍ମାହତ ଓ ପରିତାପର ସହ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛି।
  • ୪ ବର୍ଷ ଧରି ପରିସ୍ଥିତି ଖରାପରୁ ଅତି ଖରାପ ଆଡକୁ ଗତି କରିଛି। କିନ୍ତୁ ଦଳ ସେତେବେଳେ ଅମାନବୀୟ ବ୍ୟବହାର ପ୍ରଦର୍ଶନ କଲା ବୋଲି ମୁଁ ଅନୁଭବ କଲି, ଯେତେବେଳେ କି ବିଜେଡିରୁ କେହି ଜଣେ ହେଲେ ମୋ ସ୍ୱର୍ଗତ ପିତାଙ୍କ ଶେଷ ଦର୍ଶନ ପାଇଁ ଆସି ନ ଥିଲେ।
  • ଏ କଥା ସମସ୍ତେ ଜାଣନ୍ତି ଯେ, କେତେ ଶତାଦ୍ଦୀ ଧରି ବିଜୁ ଅଙ୍କଲ ଓ ମୋ ବାପା ଅନ୍ତରଙ୍ଗ ବନ୍ଧୁ ଥିଲେ।
  • ଯେତେବେଳେ କି, ଅନ୍ୟ ସମସ୍ତ ଦଳରୁ ବରିଷ୍ଠ ନେତାମାନେ ମୋ ବାପାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଥିଲେ।
  • ଯେତେବେଳେ ମୁଁ ଜାଣିବାକୁ ପାଇଲି ଯେ, ମୋ ବାପା ସ୍ବର୍ଗତ ବଂଶୀଧର ପଣ୍ଡାଙ୍କ ଶେଷଦର୍ଶନ ପାଇଁ ବିଜେଡି ନେତାଙ୍କୁ ବାରଣ କରାଯାଇଥିଲା।
  • ଏହା ଜାଣିବା ପରେ ମୋ ହୃଦୟକୁ ବାଧିଥିଲା।
  • ଏହାପରେ ମୁଁ ହୃଦବୋଧ କଲି ଯେ, ବିଜେଡି ମତେ ଆଉ ଚାହୁଁନି।
  • ଦଳ ମତେ କାଢ଼ି ଦେବାକୁ ଚାହୁଁଛି।
  • ଏହା ମୋ ଆତ୍ମସମ୍ମାନରେ ଆଞ୍ଚ ଆଣିଛି।
  • ଦଳର ଏଭଳି ସଂକୀର୍ଣ୍ଣ ପରିବେଶ ଭିତରେ ମୁଁ ନିଜର ଆତ୍ମ ସମ୍ମାନକୁ ବଳି ଦେବାକୁ ଚାହୁଁନି।
  • ଆମ ପାରିବାରିକ ସଂପର୍କ ବାଦ୍, ୧୯୯୫ରୁ ୧୯୯୭ ମସିହା ଯାଏ, ବିଜୁ ଅଙ୍କଲ ତାଙ୍କ ଜୀବନର ଶେଷ ଦୁଇବର୍ଷର ରାଜନୈତିକ କାର୍ଯ୍ୟକ୍ରମରେ ମତେ ସାମିଲ୍ କରିବାକୁ ଉପଯୁକ୍ତ ଭାବିଥିଲେ।
  • ସେ ଏକ ନୂଆ ରାଜନୈତିକ ଦଳ ଗଢ଼ନ୍ତୁ ବୋଲି ଆମେ କେତେଜଣ ତାଙ୍କ ପାଖରେ ଯୁକ୍ତି ଉପସ୍ଥାପନ କରୁଥିଲୁ। କିନ୍ତୁ ତାହା ସମ୍ଭବ ହେବା ଆଗରୁ ତାଙ୍କର ମୃତ୍ୟୁ ହୋଇଥିଲା।

କ’ଣ ହୋଇଥିଲା ଜାନୁୟାରୀ ୨୪ରେ…

ଦୀର୍ଘଦିନର ରାଜନୈତିକ ଛକାପଞ୍ଝା ଭିତରେ ଚଳିତ ବର୍ଷ ଆରମ୍ଭରୁ ବୈଜୟନ୍ତଙ୍କୁ ଲାଗିଥିଲା ଝଟ୍‌କା। ଜାନୁୟାରୀ ୨୪ରେ ବୈଜୟନ୍ତଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଯାଇଥିବା କଥା ହଠାତ୍‌ ସାମ୍ବାଦିକ ସମ୍ମିଳନୀ କରି ଦଳର ଉପ ସଭାପତି ତଥା ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଥିଲେ। ଏହି ସମୟରେ କୁନ୍ଦୁଲି ଘଟଣାକୁ ନେଇ ତୁମ୍ବି ତୋଫାନ ଲାଗି ରହିଥିବା ବେଳେ ସରକାର ଏକ ରକମ ହରଡ଼ ଘଣାରେ ପଡିଥିଲେ। ଏହି ସମୟରେ ଜନତାଙ୍କ ଦୃଷ୍ଟି କୁନ୍ଦୁଲି ଘଟଣାରୁ ହଟାଇବାକୁ ହଠାତ୍‌ ଏଭଳି ନିଷ୍ପତ୍ତି ବିଜେଡି ନେଇଥିଲା ବୋଲି ଚର୍ଚ୍ଚା ହୋଇଥିଲା ।

୧୧ ତାରିଖ ଘଟଣା ପରେ ତେଜିଥିଲା ରାଜନୀତି…

ଜାନୁୟାରୀ ୧୧ ତାରିଖ। କଟକ ଜିଲ୍ଲା ନିଶ୍ଚିତକୋଇଲି ବ୍ଲକ ଅନ୍ତର୍ଗତ ବୁହାଳୋ ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନକୁ ନେଇ ଆରମ୍ଭ ହୋଇଥିଲା ବିବାଦ।ବାଦବିବାଦ ଭିତରେ କଟକ ଜିଲ୍ଲା ମାହାଙ୍ଗା ନିକଟ ବୁହାଳୋ ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ କରିଥିଲେ ସାଂସଦ ବୈଜୟନ୍ତ ପଣ୍ଡା।  ହେଲେ ଲୋକଙ୍କ ହିତ ପାଇଁ ହେଉଥିବା ଏହି ଉନ୍ନୟନ କାର୍ଯ୍ୟକ୍ରମରେସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ଓ ତାଙ୍କ ସମର୍ଥକଙ୍କ ଦେଖା ମିଳି ନ ଥିଲା। ଏହି ଅବସରରେ ସାଂସଦ ପଣ୍ଡା ତୃତୀୟ ମହଲାର ଜଣେ ଅଣଓଡ଼ିଆ ଅଫିସରଙ୍କୁ ସିଧାସଳଖ ଟାର୍ଗେଟ୍ କରିଥିଲେ। କହିଥିଲେ- ଯେଉଁ ଅଫିସର ନିଜ କର୍ତ୍ତବ୍ୟ ଭୁଲି ଲକ୍ଷ୍ମଣରେଖା ଡେଇଁ ରାଜନୀତି କରନ୍ତିସେଭଳି ଅଫିସରଙ୍କୁ ସମ୍ମାନ ଦେବା ଆବଶ୍ୟକତା ନାହିଁ। ହଜାର ହଜାର ଲୋକଙ୍କ ଗହଣରେ ସ୍ଥାନୀୟ ଜନପ୍ରତିନିଧିଙ୍କ ଉପସ୍ଥିତିରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ହାତରେ ପ୍ରକଳ୍ପର ଲୋକାର୍ପଣ ହୋଇଥିଲେ।ସାଂସଦ ପଣ୍ଡା କହିଥିଲେ- ଗୁଳି କଲେ ବି ମୁଁ ଲୋକଙ୍କ ପାଖକୁ ଆସିବି, ଏବେ ଆସିଛି। ପାଣି କିଏ ଆଣିବାକୁ ଚାହୁଁଥିଲାଆଉ କିଏ ଅଟକାଉଥିଲେ ଆଗାମୀ ଦିନରେ ସ୍ୱାଭିମାନୀ ମାହାଙ୍ଗାବାସୀ ଏହାର ଜବାବ ଦେବେ।

ଆହୁରି ପଢ଼ନ୍ତୁ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

You might also like