୨ ଦିବ୍ୟାଙ୍ଗ ପୁଅଙ୍କ ଓଠରେ ଟିକେ ହସ ପାଇଁ ଜୀବନକୁ ଉତ୍ସର୍ଗ କରିଛନ୍ତି ଏହି ମାଆ, ପଢ଼ନ୍ତୁ ପୂରା କାହାଣୀ

ଉଦଳା: ମାଆ ସର୍ବସଂହା। ମାଆ ଧୈର୍ଯ୍ୟମୟୀ। ସନ୍ତାନର ଟିକିଏ କଷ୍ଟ ସହି ପାରୁ ନଥିବା ଏବଂ ପ୍ରତି ମୁହୂର୍ତ୍ତରେ ପିଲାର ମଙ୍ଗଳ ଚାହୁଁଥିବା ମଣିଷ ହେଉଛି ମାଆ। ଯିଏ ଜୀବନର ସକଳ ଯନ୍ତ୍ରଣାକୁ ଜଳାଞ୍ଜଳି ଦେଇ ସବୁବେଳେ ତା ସନ୍ତାନ ଓଠରେ ହସ ଟିକିଏ ଫୁଟାଇବା ପାଇଁ ଦିନ-ଦିନ, ମାସ-ମାସ ଏବଂ ବର୍ଷ-ବର୍ଷ ଅବିଶ୍ରାନ୍ତ ଭାବେ କେବଳ କାମ କରି ଚାଲିଥାଏ। ଆଜି ମାତୃତ୍ୱ ଦିବସରେ ଆସନ୍ତୁ ଜାଣିବା ସେହିଭଳି ଜଣେ ମହିୟସୀ ମାଙ୍କୁ , ଯାହାଙ୍କ ନାଁ ଭଗବତୀ ସାହୁ।

ବୟସ ୬୦ ଟପିଲାଣି। ହେଲେ ଥକି ଯାଇନି ହାତ କି ପାଦ। ଏ ବୟସରେ ବି ଖୁବ୍ ଚଳଚଞ୍ଚଳ ସେ। କାରଣ ତାଙ୍କରି ଉପରେ ହିଁ ନିର୍ଭର କରୁଛି ଦୁଇ ଦୁଇଟି ଭେଣ୍ଡା ପୁଅଙ୍କ ଜୀବନ। ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ୍ ଶିରିପୁର ଗାଁର ଏହି ମହିଳା ହେଉଛନ୍ତି ଭଗବତୀ ସାହୁ।  ଭଗବତୀଙ୍କ ଦୁଇ ପୁଅ। ହେଲେ ଦୁଇ ଜଣ ଯାକ ଦିବ୍ୟାଙ୍ଗ। ଉଭୟ ଶାରିରୀକ ଓ ମାନସିକ ଭାବେ ଅନଗ୍ରସର। ଏ ପିଲାଙ୍କ ସେବା କି ସ୍ନେହରେ କେବେ ବି ହେଳା କରନ୍ତିନି ଭଗବତୀ। ସକାଳୁ ସଞ୍ଜ ଯାଏଁ ସେମାନଙ୍କ ଦେଖାଶୁଣାରେ ହିଁ ବିତିଯାଏ ତାଙ୍କ ଜୀବନ। ଦୁଇ ଦୁଇ ଜଣ ଅକ୍ଷମ ପୁଅଙ୍କ ଅଳି ଅର୍ଦ୍ଦଳି, ସେବା ଶୁଶ୍ରୁସାରେ ଯେମିତି ଦିନ ଓ ରାତି ଭୁଲି ଯାଆନ୍ତି ସେ।

ଭଗବତୀଙ୍କ ବଡ଼ ପୁଅର ବୟସ ପ୍ରାୟ ୨୮।  ଗୋଡ଼ର ଶିରା ପ୍ରଶିରା କାମ କରୁ ନ ଥିବାରୁ ସେ ଅକ୍ଷମ। ସାନ ପୁଅକୁ ୨୫। ଜନ୍ମରୁ ପୋଲିଓ ଆକ୍ରାନ୍ତ ଯୋଗୁଁ ସବୁବେଳେ ଭୂମିରେ ଲୋଟୁଛି। ଏପରି ଅବସ୍ଥାରେ ଆଜିକୁ ୧୨ ବର୍ଷ ତଳେ ସ୍ୱାମୀଙ୍କୁ ହରାଇଛନ୍ତି ସେ।  ଦୁଃଖର ବୋଝ ଉପରେ ବୋଝ ବୋହି କିନ୍ତୁ ଥକି ଯାଇ ନାହାନ୍ତି ଭଗବତୀ।  ସମ୍ପତ୍ତି ବୋଲି ନୂଆଣିଆ ଝାଟିମାଟି ଚାଳ ଛପର ଘର। ଦୁଇ ଓଳି ଖାଇବାକୁ ଦୈନିକ ସଂଘର୍ଷ କରିବାକୁ ପଡ଼େ ତାଙ୍କୁ। ହେଲେ ତା ଭିତରେ ବି ନିଜ ପିଲାଙ୍କ ପେଟକୁ ଦାନା ଯୋଗାଡ଼ରେ କେବେ ହେଳା କରି ନାହାନ୍ତି ସେ।

ଦୁଃଖ ଓ ଯାତନାରେ ପ୍ରତ୍ୟକ ଦିନ ମରି ମରି ବଞ୍ଚୁଥିଲେ ବି ନିଜ ଦୁଇ ପୁଅଙ୍କ ଓଠରେ ଟିକିଏ ହସ ଦେଖିବାକୁ ଅହରହ ପ୍ରୟାସ କରୁଛନ୍ତି ଭଗବତୀ।  ବିଶ୍ୱ ମାତୃତ୍ୱ ଦିବସରେ ଏଭଳି ମହିୟସୀ ମାଆଙ୍କୁ ଶତ ଶତ ପ୍ରଣାମ।

You might also like