୨୫ ବର୍ଷ ପରେ ପୁଅକୁ ଫେରି ପାଇଲେ ମାଆ, ଜାଣନ୍ତୁ କେମିତି…

କନ୍ଧମାଳ: ଦୀର୍ଘ ୨୫ ବର୍ଷ ପରେ ମାଆ-ପୁଅଙ୍କ ମିଳନ, ଭାଇ-ଭାଇର ମିଳନ ଓ ଭାଇ-ଭଉଣୀର ମିଳନ। ଆଉ ଘରେ ଖେଳିଯାଇଛି ଉତ୍ସବର ମାହୋଲ।  ଦିନେ ଘରୁ ରାଗି ଯାଇ ଚାଲିଯାଇଥିଲେ, ଆଉ ଏତେ ବର୍ଷ ପରେ ପୁଣି ଘରକୁ ଫେରିଲେ। ଯାହକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ନାହିଁନଥିବା ଖୁସି।

ପୁଅକୁ ପାଖରେ ପାଇ ମାଆ ହୋଇଛି ଆତ୍ମବିଭୋର। ନିଜ ପଣତ କାନିରେ ପୋଛି ଦେଇ ତାକୁ ନିଜ ହାତରେ ଖୁଆଇ ଦେଉଛି। ସାନ ଭାଇ ଓ ଭଉଣୀ ମଧ୍ୟ ଦୀର୍ଘ ୨୫ ବର୍ଷ ପରେ ବଡ଼ ଭାଇକୁ ପାଖରେ ସେହ୍ନ, ଶ୍ରଦ୍ଧା ଓ ଭଲପାଇବା ଅଜାଡ଼ି ଦେଇଛନ୍ତି। ଆଉ ଶୁଣାଉଛନ୍ତି ଅତୀତର କଥା। ଏ ହେଉଛି କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିର ତରୁଣ ବିଶୋୟୀଙ୍କ କାହାଣୀ।

ତରୁଣ ୨୫ ବର୍ଷ ତଳେ ଘରୁ ରାଗିଯାଇ ପଞ୍ଜାବର ଅମୃତସର ଚାଲି ଯାଇଥିଲେ। ସଠାରେ ଷ୍ଟେସନ୍‌ରୁ ତାଙ୍କୁ ଜଣେ ସର୍ଦ୍ଦାର ନିଜ ଘରକୁ ନେଇ ଯାଇଥିଲେ। ହେଲେ କିଛି ଦିନ ଉକ୍ତ ସର୍ଦ୍ଦାରଙ୍କ ଘରେ ରହିବା ପରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହା ପରଠୁ ତାଙ୍କ ୨ ଝିଅ ତରୁଣଙ୍କୁ ନିର୍ଯାତନା ଦେଇ ଆସୁଥିଲେ।

ଆଉ ଏପଟେ ପୁଅର ଫେରିବା ବାଟକୁ ମାଆ ଚାହିଁ ରହିଥିଲେ। ଏପରିକି ପୁଅକୁ ପାଖରେ ନପାଇ ତରୁଣଙ୍କ ମାଆ ଭଗବାନ ଉପରେ ଅଭିମାନ କରି ମନ୍ଦିର ମଧ୍ୟ ଯାଉନଥିଲେ।

ତେବେ ସେମାନଙ୍କ କବଳରୁ ବହୁ କଷ୍ଟରେ ତରୁଣ ମୁକୁଳି ପଞ୍ଜାବ ସୀମାନ୍ତରେ ନିୟୋଜିତ ସୁରକ୍ଷାବାହିନୀଙ୍କ ହାବୁଡରେ ପଡିଥିଲେ। ନିଜର ସମସ୍ତ ଦୁଃଖ ଜଣାଇବା ପରେ ସୁରକ୍ଷାବାହିନୀ ତାଙ୍କୁ ପଞ୍ଜାବରୁ ଓଡ଼ିଶା ପଠାଇଥିଲେ। ଶେଷରେ ଘରକୁ ଫେରିବା ପରେ ଆଉ କେବେବି କୁଆଡେ ଯିବେନି ବୋଲି କହିଛନ୍ତି ତରୁଣ।

ବଡ଼ ଭାଇ ତରୁଣ ଘରକୁ ଫେରି ଆସିଥିବାରୁ ସାନଭାଇ ବରୁଣ ମଧ୍ୟ ବେଶ୍ ଖୁସି। ଅନ୍ୟପଟେ ଦୀର୍ଘ ବର୍ଷ ପରେ ଭାଇ ହାତରେ ରାକ୍ଷୀ ବାନ୍ଧିବାର ସୌଭାଗ୍ୟ ମିଳିଛି ବୋଲି ତରୁଣଙ୍କ ଭଉଣୀ କହିଛନ୍ତି।

ଖାଲି ଯେ ଭଗବାନ ଜଣେ ମାଆର ଡାକ ଶୁଣି ନାହାନ୍ତି ବରଂ ଭାଇକୁ ଭାଇ ସହ ପୁନର୍ବାର ମିଳନ ଓ ଜଣେ ଭଉଣୀର ଭଲପାଇବା ଫେରାଇ ଦେଇଛନ୍ତି।

You might also like