ଇରାକ ମୋସୁଲରୁ ଆସିଲା ଭାରତୀୟଙ୍କ ଦେହାବଶେଷ

ଅମୃତସର : ଅପେକ୍ଷାର ଅନ୍ତ ଘଟିଛି। ପ୍ରାୟ ୪ବର୍ଷ ପରେ ଇରାକରେ ଗଣହତ୍ୟାର ଶିକାର ହୋଇଥିବା ଭାରତୀୟଙ୍କ ମୃତଦେହ ଫେରିଛି। ଏହାକୁ ନେଇ ବିମାନବନ୍ଦରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପ୍ରିୟଜନଙ୍କ ବୁକୁଫଟା କାନ୍ଦରେ ଫାଟି ପଡିଥିଲା ପରିବେଶ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ପଂଜାବର ଅମୃତସର ବିମାନ ବନ୍ଦରରରେ।

ଗତକାଲି ବାଗ୍‌ଦାଦ ଯାଇଥିବା ବୈଦେଶିକ ବ୍ୟାପର ରାଷ୍ଟ୍ରମନ୍ତ୍ରୀ ଭିକେ ସିଂହ ଫେରିଛନ୍ତି ଭାରତ। ବାୟୁ ସେନାର ସ୍ୱତନ୍ତ୍ର ବିମାନ C-17 ଜରିଆରେ ଅଣାଯାଇଛି ସମସ୍ତ ଭାରତୀୟ ମର ଶରୀର।

ଅମୃତସରରେ ପହଞ୍ଚିବା ପରେ ମୃତକଙ୍କ ପରିବାରଲୋକଙ୍କ ପାଖକୁ ପଠାଯାଇଛି ମରଶରୀର। ସମସ୍ତ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପରିବାରକୁ ହସ୍ତାନ୍ତର କରାଯିବାକୁ ନେଇ ବ୍ୟବସ୍ଥା ହୋଇଛି। ଏହାପରେ ବିମାନରେ ଥିବା ଅନ୍ୟ ମୃତଦେହକୁ କୋଲକାତା ଏବଂ ପାଟଣାକୁ ନିଆଯିବ। ଇରାକରେ ଗଣହତ୍ୟାରେ ୩୯ଜଣଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ୩୮ଜଣଙ୍କ ଦେହାବଶେଷ ଅଣାଯାଇଛି। ଏମାନଙ୍କର ଡିଏନଏ ସାମ୍ପଲ ୯୫ ପ୍ରତିଶତ ମେଳ ଖାଉଛି। ଅନ୍ୟପକ୍ଷରେ ଆଉ ଜଣଙ୍କ ଡିଏନଏ ସାମ୍ପଲ ୭୦ ପ୍ରତିଶତ ମେଳ ଖାଉଥିବାରୁ ତାଙ୍କର ଦେହାବଶେଷ ଅଣାଯାଇନାହିଁ।

୨୦୧୪ ମସିହାରେ ଇରାକର ମୋସୁଲ ସହରରୁ ୪୦ଜଣଙ୍କୁ ଅପହରଣ କରି ନିଆଯାଇଥିଲା। ପରେ ସେମାନଙ୍କ କବଳରୁ ଖସି ଆସିଥିଲେ ଜଣେ ଭାରତୀୟ। ତେବେ ଅନ୍ୟ ଭାରତୀୟଙ୍କୁ ହତ୍ୟା କରାଯାଇଥିବା ଖବର ସେ ଦେଇଥିଲେ। କିନ୍ତୁ ଏ ସମ୍ପର୍କରେ କୌଣସି ଠୋସ୍ ତଥ୍ୟ ନମିଳିବାରୁ ତାଙ୍କୁ ମୃତକ ଘୋଷଣା କରାଯାଇନଥିବା ସ୍ପଷ୍ଟୀକରଣ ରଖିଥିଲେ ବୈଦେଶିକ ବ୍ୟାପର ମନ୍ତ୍ରୀ ସୁଷମା ସ୍ୱରାଜ। କିନ୍ତୁ କିଛି ଦିନ ତଳେ ଆଇଏସଆଇଏସ୍‌ ଦ୍ୱାରା ୩୯ଜଣ ଭାରତୀୟଙ୍କୁ ହତ୍ୟା ସମ୍ପର୍କରେ ସଂସଦରେ କହିଥିଲେ ସୁଷମା। ଏହାପରେ ସେମାନଙ୍କ ଦେହାବଶେଷ ଆଣିବା ପାଇଁ ତତ୍ପରତା ପ୍ରକାଶ କରିଥିଲେ କେନ୍ଦ୍ର ସରକାର।

 

 

You might also like