ସଅଳ ଆସି ବାଟ ହୁଡ଼ିଲା ମୌସୁମୀ!

ଭୁବନେଶ୍ୱର: ଆଜି ବି ରାଜ୍ୟବ୍ୟାପି ଜାରି ରହିଛି ଗ୍ରୀଷ୍ମପ୍ରବାହ। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଗରମ ପବନ ବହୁଛି । ଗତ ୨ ଦିନ ହେଲା ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିସାରିଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଗତ କିଛି ଦିନ ତଳେ ସୃଷ୍ଟି ହୋଇଥିବା ଲଘୁଚାପ ଦେଶର ଉତ୍ତର-ପୂର୍ବାଞ୍ଚଳ ଆଡ଼କୁ ଯାଇଥିବାରୁ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ, ଉତ୍ତପ୍ତ ବାୟୁ ଓଡ଼ିଶା ଦେଇ ପ୍ରବାହିତ ହେଉଛି।

ତେଣୁ ବଙ୍ଗୋପସାଗରର ଜଳୀୟ ବାଷ୍ପ ଓଡ଼ିଶାରେ ପ୍ରବେଶ କରିପାରୁନାହିଁ। ଏହି କାରଣରୁ ପ୍ରବଳ ଗରମ ହେଉଛି। ମୌସୁମୀ ସକ୍ରିୟ ନ ହେବା ପର୍ଯ୍ୟନ୍ତ ଏଭଳି ଗରମ ହେବ, ଏପରିକି କାଳବୈଶାଖୀ ପରିସ୍ଥିତି ସୃଷ୍ଟି ହୋଇପାରେ।

ଯଦି ୩-୪ ଦିନ ଭିତରେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୁଏ ତେବେ ମୌସୁମୀ ପୁଣି ସକ୍ରିୟ ହେବ ଓ ପାଗ ବଦଳିବ ବୋଲି କହିଛନ୍ତି ଡ୍ୟୁଟି ଅଫିସର ରମେଶ ନାୟକ।

ପ୍ରବଳ ଗରମ ଯୋଗୁଁ ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା, ଅନୁଗୁଳ, ମୟୁରଭଞ୍ଜ, କଳାହାଣ୍ଡି ଏବଂ ବଲାଙ୍ଗିର ଜିଲ୍ଲା ପାଇଁ ଗତକାଲିଠୁ ହିଟ୍‌ୱେଭ୍‌ ଜାରି କରାଯାଇଛି।

You might also like