ବ୍ଲୁ ହ୍ୱେଲ୍ ପରେ ଏବେ ମୋମୋ ଚାଲେଞ୍ଜ

ମୋମୋ ଗେମ୍ ଶିକାର ହେଲେ ରାଉରକେଲାର ଇଞ୍ଜିନିୟରିଂ ଛାତ୍ର

ରାଉରକେଲା : ‘ମୋମୋ’ ଭଳି ମରଣାନ୍ତକ ଅନ୍‌ଲାଇନ୍ ଗେମରେ ଯାଇଛି ପୁଅର ଜୀବନ। ୯ ଦିନ ତଳେ ଘଟିଯାଇଥିବା ସେହି ସାଂଘାତିକ ଘଟଣା ଏବେ ବି ପରିବାର ଏବଂ ଅାତ୍ମୀୟ ସ୍ୱଜନଙ୍କ ମନକୁ ଖିନ୍‌ଭିନ୍ କରିଦେଉଛି। ପରିବାରରେ ଖେଳିଯାଇଛି ଶୋକର ଛାୟା ।

ଅଭିଭାବକଙ୍କୁ ମାଡ଼ି ବସିଛି ଭୟ ଅାଉ ଅାତଙ୍କ । ରାଉରକେଲା ରେଲ୍‌ୱେ କଲୋନୀର ଇଂଜିନିୟରିଂ ଛାତ୍ର ଏସ୍.ଚେତନ କୁମାର । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଇଂଜିନିୟରିଂ କଲେଜରେ କମ୍ପୁଟର ସାଇନ୍ସରେ ତୃତୀୟ ବର୍ଷର ଛାତ୍ର ।  ଶିକାର ହୋଇଥିଲେ ଅାତ୍ମଘାତୀ ମୋମୋ ଗେମ୍‌ର। ଗେମ୍‌ର ଅାଡ୍‌ମିନ୍‌ଙ୍କ ନିର୍ଦ୍ଦେଶକ୍ରମେ ସେ ପ୍ରଥମେ ଗତ ୨୦ ତାରିଖରେ ଭୁବନେଶ୍ୱରରୁ ଚେନ୍ନାଇ ଯାଇଥିଲେ ଟ୍ରେନରେ। ଅାଉ ୨୨ ସକାଳେ ଚେନ୍ନାଇର ରାଜୀବ ଗାନ୍ଧୀ ମେମୋରିଅାଲ୍ ହସ୍ପିଟାଲ୍‌ର ୬ ମହଲାରୁ ତଳକୁ ଡେଇଁ ଅାତ୍ମହତ୍ୟା କରିଥିଲେ। ଚେତନଙ୍କ ମୋବାଇଲ୍‌ରୁ ଏଭଳି ତଥ୍ୟ ପାଇବା ପରେ ପୁଲିସ ଜାରି ରଖିଛି ଖୋଳତାଡ଼।

‘ବ୍ଲୁ ହ୍ୱେଲ୍’ ଭଳି ‘ମୋମୋ’ ମଧ୍ୟ ହେଉଛି ଅାତ୍ମଘାତୀ ଗେମ୍ । ଏହା ଏକ ଲୋକପ୍ରିୟ ସୋସିଅାଲ୍ ମିଡିଅା ଅାକାଉଣ୍ଟ ମଧ୍ୟ । ପ୍ରଥମେ ଜଣେ ବ୍ୟକ୍ତିଙ୍କୁ ଏକ ଅଜଣା ନମ୍ବରରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ କଥା ହେବାକୁ କୁହାଯାଇଥାଏ । ତାପରେ ଚାଲେଞ୍ଜ ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ହିଂସାତ୍ମକ ଏବଂ ନିଜକୁ ଯନ୍ତ୍ରଣା ଦେଲା ଭଳି ଟାସ୍କ ଦିଅାଯାଏ । ତାପରେ ନିର୍ଦ୍ଧିଷ୍ଟ ସ୍ଥାନକୁ ଯାଇ ଅାତ୍ମହତ୍ୟା କଲେ ‘ମୋମୋ’ ସହ ସାକ୍ଷାତ ହୋଇପାରିବ, ନଚେତ୍ ପରିବାରର ବ୍ୟାପକ କ୍ଷତି ହେବ ବୋଲି ନିର୍ଦ୍ଦେଶ ଦିଅାଯାଇଥାଏ।

ଦେଶରେ ସ୍ଥିତି ଉଦ୍‌ବେଗଜନକ ନଥିଲେ ମଧ୍ୟ ଏଭଳି ଅାତ୍ମଘାତୀ ମୋମୋ ଗେମ୍‌ରୁ ପିଲାଙ୍କୁ ଦୂରେଇ ରଖିବା ପାଇଁ ସ୍ୱତନ୍ତ୍ର ଅାଡଭାଇଜାରୀ ଜାରି କରିଛି ସୂଚନା ଏବଂ ପ୍ରଯୁକ୍ତି ମନ୍ତ୍ରଣାଳୟ। ସେହିପରି କ୍ରାଇମବ୍ରାଞ୍ଚ ପକ୍ଷରୁ ମଧ୍ୟ ସତର୍କ ଜାରି କରାଯାଇଛି। ଅନ୍‌ଲାଇନରେ କୌଣସି ପ୍ରକାରର ଗେମ୍ ଖେଳିବା ପାଇଁ ନିମନ୍ତ୍ରଣ ଅାସୁଥିଲେ ତାକୁ ପ୍ରତ୍ୟାଖାନ୍ କରିବା ଉଚିତ୍ ।

ଅନ୍‌ଲାଇନରେ କୌଣସି ଅଜଣା ବ୍ୟକ୍ତି ପଠାଇଥିବା ଲିଙ୍କ୍ ଉପରେ କ୍ଲିକ୍ କରିବା ଅନୁଚିତ୍ । ପ୍ରତିଦିନ ପିଲାଙ୍କ ମୋବାଇଲ୍‌କୁ ଯାଞ୍ଚ କରିବା ଅାବଶ୍ୟକ । କୌଣସି ଅଜଣା ବ୍ୟକ୍ତିଙ୍କ ସହ ଚାଟ୍ କରିବାରୁ ପିଲାଙ୍କ ଦୂରେଇ ରଖିବା ଜରୁରୀ ।

You might also like