ମହାନଦୀ ପୂର୍ଣ୍ଣଗର୍ଭା, ହୀରାକୁଦ ବି ଛାଡ଼ିବ ବନ୍ୟା ଜଳ, ୬ ଜିଲ୍ଲାକୁ ବନ୍ୟା ବିପଦ

ଭୁବନେଶ୍ୱର: ବର୍ଷାର ତାଣ୍ଡବ ପରେ ଦେଖିବାକୁ ମିଳିଛି ପୂର୍ଣ୍ଣଗର୍ଭା ମହାନଦୀର ଚିତ୍ର। ଏପଟେ ପ୍ରତି ସେକେଣ୍ଡରେ ମୁଣ୍ଡୁଳି ବ୍ୟାରେଜ୍ ଦେଇ ତଳମୁଣ୍ଡକୁ ପ୍ରବାହିତ ହେଉଛି ୭ ଲକ୍ଷ ଘନଫୁଟରୁ ଊର୍ଦ୍ଧ୍ୱ ବନ୍ୟାଜଳ। ଯାହା ଫଳରେ କଟକ, କେନ୍ଦ୍ରପଡ଼ା, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ପାଇଁ ଦେଖାଦେଇଛି ମଧ୍ୟମ ଧରଣର ବନ୍ୟା ବିପତ୍ତି । ତେଣୁ ଏହାର ମୁକାବିଲା ପାଇଁ ଜିଲ୍ଲାଠୁ ନେଇ ସଚିବାଳୟ ଯାଏ ଜୋରଦାର ପ୍ରସ୍ତୁତି। ନିଜେ ମୁଖ୍ୟମନ୍ତ୍ରୀ ଆଜି ସ୍ଥିତିର ସମୀକ୍ଷା କରିଛନ୍ତି। ଉଦ୍ଧାର କାର୍ଯ୍ୟ ଲାଗି ଓଡ୍ରାଫ୍ ଟିମ୍, ଫାୟାର ସର୍ଭିସ୍ ଟିମ୍ ସହ ପ୍ରସ୍ତୁତ ଅଛି ବିଭିନ୍ନ ସ୍ଥାନରେ ଥିବା ବନ୍ୟା ଆଶ୍ରୟସ୍ଥଳ।

ଏପଟେ ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାର ବି ଫୁଲୁଛି। ତେଣୁ ଆସନ୍ତାକାଲି ଜଳଭଣ୍ଡାରରୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ଆସନ୍ତାକାଲି ଜଳଭଣ୍ଡାରର ଜଳପତ୍ତନ ୬୧୮ ଫୁଟ୍‌ରେ ପହଞ୍ଚିବାର ସମ୍ଭାବନା ଥିବାରୁ ମହାନଦୀକୁ ୩ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ଛଡ଼ାଯିବ।  ହେଲେ ଏହି ଜଳ ମୁଣ୍ଡୁଳିରେ ପହଞ୍ଚିବା ବେଳକୁ ପୂର୍ବ ବନ୍ୟାଜଳ ନିଷ୍କାସିତ ହୋଇସାରିଥିବ। ତେଣୁ ସ୍ଥିତି ଗୁରୁତର ହେବ ନାହିଁ ବୋଲି କୁହାଯାଇଛି।vlcsnap-error645

ହୀରାକୁଦ ଡ୍ୟାମ୍‌ରେ ବନ୍ୟାଜଳ ପରିଚାଳନା ପାଇଁ ଥିବା ରୁଲ୍ କର୍ଭ ଅନୁଯାୟୀ ଜୁଲାଇ ୨୧ ସୁଦ୍ଧା ଜଳଣ୍ଡାରରେ ୫୯୧ ଫୁଟ୍ ପାଣି ରହିବା କଥା। ହେଲେ ଏବେ ଏହାଠାରୁ ପାଖାପାଖି ୨୫ ଫୁଟ୍ ଅଧିକ ପାଣି ରହିଛି।  ତେଣୁ ରୁଲକର୍ଭ ଉଲ୍ଲଙ୍ଘନକୁ ନେଇ ପ୍ରଶ୍ନ ଉଠିଛି। ଜଳସଂପଦ ବିଭାଗ ବନ୍ୟା ନିୟନ୍ତ୍ରଣ କକ୍ଷର ମୁଖ୍ୟଯନ୍ତ୍ରୀ କହିଛନ୍ତି ରୁଲ୍ କର୍ଭ ମାନିଥିଲେ ମହାନଦୀରେ ବଡ଼ ବନ୍ୟା ହୋଇଥାନ୍ତା।  ତେବେ ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀଙ୍କ ମତରେ ଆବଶ୍ୟକସ୍ଥଳେ ରୁଲ କର୍ଭରେ ବ୍ୟତିକ୍ରମ କରାଯାଇ ନିଷ୍ପତ୍ତି ନିଆଯାଇଥାଏ।

You might also like