ଚାରି ବର୍ଷର ଚର୍ଚ୍ଚିତ ମୋଦି ସରକାର

ଅଛେ ଦିନର ନାରା ଦେଇ ପ୍ରଧାନମନ୍ତ୍ରୀ ହୋଇଥିବା ନରେନ୍ଦ୍ର ମୋଦି ଦେଶ ପାଇଁ କଣ କରିଛନ୍ତି ତାହା ସବୁ ଭାରତୀୟଙ୍କ ପାଇଁ ବଡ଼ ପ୍ରଶ୍ନ । ୨୦୧୪ ମେ ମାସରେ ଶାସନ ଭାର ଗ୍ରହଣ କରିଥିବା ମୋଦି ସରକାର ପାଳନ କରୁଛନ୍ତି ସଫଳତାର ୪ ବର୍ଷ । ଏହି ଚାରି ବର୍ଷ ମଧ୍ୟରେ କେଉଁ କେଉଁ ପଦେକ୍ଷପ ନେଇ ନରେନ୍ଦ୍ର ମୋଦି ଚର୍ଚ୍ଚାରେ ରହିଛନ୍ତି ସେ ସମ୍ପର୍କରେ ଏକ ଅନୁଶୀଳନ ।

 

ବିମୁଦ୍ରାକରଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଚାନକ ନୋଟ୍‌ବନ୍ଦୀ ବା ବିମୁଦ୍ରାକରଣ ଘୋଷଣା ସମସ୍ତଙ୍କ ମୁଣ୍ଡରେ ଚଡ଼କ ପକାଇଥିଲା । ଏମିତି କରି ଦେଶପାଇଁ ସବୁଠୁ ବଡ଼ ରିସ୍କ ନେଇଥିଲେ ମୋଦି। ଏହା ସଂପୂର୍ଣ୍ଣ ବିଫଳ ହୋଇଛି ବୋଲି ବିରୋଧୀ ଦଳ ଦାବି କରୁଥିବା ବେଳେ ଗ୍ରାମାଞ୍ଚଳରେ ମୋଦିଙ୍କୁ ପ୍ରଶଂସା ମିଳିଥିଲା। କଳାଧନ ଉପରେ ଶକ୍ତ ପ୍ରହାର ଦେଇଥିବାରୁ ଗ୍ରାମାଞ୍ଚଳରେ ଲୋକେ ବ୍ୟାଙ୍କ ଆଗରେ ଛିଡ଼ା ହୋଇ କଷ୍ଟ ପାଇଥିଲେ, ପ୍ରଶଂସା ବି କରିଥିଲେ ମୋଦିଙ୍କୁ । ଏହା ଦ୍ୱାରା ମୋଦି ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ କଳାଧନକୁ ଆଣିବାରେ ସଫଳ ହୋଇଥିଲେ । କଳାଧନ ଠୁଳ କରିଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇଥିଲା ମୋଦିଙ୍କର ଏହି  ବିମୁଦ୍ରାକରଣ ଘୋଷଣା ।  ତେବେ ତରବରିଆ ଭାବେ ବିନା କୌଣସି ପ୍ରସ୍ତୁତିରେ ବିମୁଦ୍ରାକରଣ ପଦକ୍ଷେପକୁ ସମାଲୋଚନା ମଧ୍ୟ କରାଯାଇଥିଲା। କିନ୍ତୁ ଆନ୍ତର୍ଜାତିକ ସ୍ତରରେ ମୋଦିଙ୍କୁ ପ୍ରଶଂସା ମିଳିଥିଲା, ଏମିତିକି ପାକିସ୍ତାନ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ହୋଇଥିଲା ।

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା

ପ୍ରଧାନମନ୍ତ୍ରୀ  ମୁଦ୍ରା ଯୋଜନା ନରେନ୍ଦ୍ର ମୋଦି ସରକାରଙ୍କ ଏକ ଲୋକପ୍ରିୟ ଯୋଜନା । ଏହି ଯୋଜନାରେ ବିନା ଗ୍ୟାରେଣ୍ଟରରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯାଇଛି । ବହୁ ଯୁବକ ଯୁବତୀ ଚାକିରି ପଛରେ ନ ଗୋଡ଼େଇ ସ୍ବାବଲମ୍ବୀ ହୋଇପାରିଛନ୍ତି । ସରକାରୀ ତଥ୍ୟ ମୁତାବକ କେବଳ ୨୦୧୮ ୧୯ ଆର୍ଥିକ ବର୍ଷରେ ୫୬ ଲକ୍ଷ ୯୪ ହଜାର ୮୭୬ ଜଣଙ୍କୁ ୨୫ ହଜାର ୮୭୭ କୋଟି ଟଙ୍କା ଋଣ ଦିଆଯାଇଛି ।

ଆମେରିକା ଓ ୟୁରୋପୀୟ ଦେଶମାନଙ୍କ ସହ ସମ୍ପର୍କ ବୃଦ୍ଧି

ମୋଦିଙ୍କ ବୈଦେଶିକ ନୀତି ଭଲ କାମ କରିଛି । ପ୍ରଧାନମନ୍ତ୍ରୀ ହେବା ପରେ ଆମେରିକା ଓ ୟୁରୋପୀୟ ଦେଶମାନଙ୍କ ସହ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଛି । ତେବେ ମୋଦି ଅଧିକ ବିଦେଶ ଗସ୍ତ କରୁଛନ୍ତି ବୋଲି ବିରୋଧୀ ଦଳ ଅଭିଯୋଗ କରୁଛନ୍ତି । ମୋଦିଙ୍କୁ ବାରାକ୍ ଓବାମା ଉଚ୍ଛସିତ ସମ୍ବର୍ଦ୍ଧନା ଦେବା ଓ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ସହ ଗଙ୍ଗା ଆଳତି ମୋଦିଙ୍କ ବୈଦେଶିକ ନୀତିର ଦୁଇଟି ଭଲ ଉଦାହରଣ । ମୋଦିଙ୍କ ବିଚକ୍ଷଣ ଗୋଟି ଚାଳନାରେ ବଶୀଭୂତ ହୋଇଥିବା ସାଉଦି ଆରବ ପାକିସ୍ତାନକୁ ଆତଙ୍କବାଦୀଙ୍କୁ ସହଯୋଗ କରୁଥିବା ଦେଶ ବୋଲି ଖୋଲାଖୋଲି ଭାବେ ନିନ୍ଦା କରିଛି । ବାଂଲାଦେଶ, ନେପାଳ ଓ  ଆଫଗାନିସ୍ତାନକୁ ଆର୍ଥିକ ସହାୟତାର ହାତ ବଢ଼ାଇ ମୋଦି ଏସିଆ ମହାଦେଶରେ ଭାରତର ସ୍ଥାନକୁ ଉଚ୍ଚକୁ ନେଇଛନ୍ତି । ସାଉଥ୍ ଏସିଆନ୍ ସାଟେଲାଇଟ୍ ଲଞ୍ଚ  କରି ମୋଦି ଭାରତକୁ ପରବର୍ତ୍ତୀ ଏସୀୟ ସୁପର ପାୱାର ହେବାକୁ ରାସ୍ତା ଖୋଲିଛନ୍ତି । ଚୀନ୍ ଭାରତ ବିରୋଧରେ ଯେତେ ପଦକ୍ଷେପ ନେଲେ ମଧ୍ୟ ତାକୁ ଭାରତ ବିରୋଧରେ ଆନ୍ତର୍ଜାତିକ ସହଯୋଗ ମିଳୁ ନାହିଁ ।

ପାକିସ୍ତାନକୁ  ଚୁପ୍

ଆତଙ୍କବାଦର କାରଖାନା ପାକିସ୍ତାନକୁ ଭଲ ଶିକ୍ଷା ଦେଇଛନ୍ତି ମୋଦି। ପାକ ଅଧିକୃତ ଅଧିକୃତ କାଶ୍ମୀରରେ ରାତି ଅଧିଆ ସର୍ଜିକାଲ ଷ୍ଟ୍ରାଇକ୍ କରି ପାକିସ୍ତାନକୁ ଚକମା ଦେଇଛନ୍ତି ମୋଦି। ମୋଦିଙ୍କ ଯୋଗୁଁ ପାକିସ୍ତାନକୁ ଆମେରିକା ସହାୟତା ଦେବା ବନ୍ଦ କରିବାକୁ ବାଧ୍ୟ ହେଲା,୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍ ସୟିଦକୁ ଆତଙ୍କବାଦୀ  ଘୋଷଣା କରଛି ପାକିସ୍ତାନ। ପାକିସ୍ତାନ ଏବେ ଆର୍ଥିକ ସଂକଟ ଦେଇ ଗତି କରୁଛି । ଏମିତିକି ବିଶ୍ୱବ୍ୟାଙ୍କ ପାକିସ୍ତାନର ଦୁଃଖ ନ ଶୁଣିବା ପାଇଁ ମୋଦିଙ୍କୁ ଦାୟୀ କରୁଛି ପାକିସ୍ତାନ ।

ମେକ୍ ଇନ୍ ଇଣ୍ଡିଆ

ମେକ୍ ଇନ୍ ଇଣ୍ଡିଆ ମାଧ୍ୟମରେ ମୋଦି ବିଦେଶୀ ଓ ବହୁରାଷ୍ଟ୍ରୀୟ କମ୍ପାନୀଙ୍କୁ ଭାରତକୁ ବ୍ୟବସାୟ ପାଇଁ ଆମନ୍ତ୍ରଣ କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଅର୍ଥନୈତିକ ପ୍ରଗତି ଦିଗରେ ଆଉ ପାଦେ ଆଗେଇଛନ୍ତି । ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଦ୍ୱାରା ଅନେକ ବହୁ ରାଷ୍ଟ୍ରୀୟ କମ୍ପାନୀ ଭାରତରେ ବ୍ୟବସାୟ ପାଇଁ  ଆଗ୍ରହ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା

ଜନଧନ ଯୋଜନା ମୋଦି ସରକାରଙ୍କ ଏକ ଲୋକପ୍ରିୟ ଯୋଜନା । ଏହି ଯୋଜନାରେ ଶୂନ୍ୟ ବାଲାନ୍ସରେ ଆକାଉଣ୍ଟ  ଖୋଲିପାରୁଛନ୍ତି ଗରିବ ଲୋକେ । ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ବ୍ୟାଙ୍କ ସହ ଯୋଡ଼ିବାକୁ ମୋଦି ଏହି ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ଗିନିସ୍ ବୁକ୍ ଅଫ୍ ରେକର୍ଡ଼ସରେ ସ୍ଥାନ ପାଇଛି ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନା । ଜନଧନ କ୍ୟାମ୍ପେନ୍‌ ଆରମ୍ଭ ହେବାର ଗୋଟିଏ ସପ୍ତାହ ମଧ୍ୟରେ ୧ କୋଟି ୮୦ ଲକ୍ଷ ୯୬ ହଜାର ୧୩୦ ଜନଧନ ଆକାଉଣ୍ଟ ଖୋଲାଯାଇଥିଲା ।

ଡିଜିଟାଲ ଇଣ୍ଡିଆ

ଏହା ମୋଦି ସରକାରଙ୍କର ଅନ୍ୟତମ ସଫଳ ଯୋଜନା । ଭାରତର ଅଗଣିତ ନାଗରିକଙ୍କୁ ଅର୍ଥନୀତିର ମୁଖ୍ୟସ୍ରୋତରେ ସାମିଲ କରିବାକୁ ମୋଦି ଲକ୍ଷ୍ୟ ରଖିଛନ୍ତି । ଭାରତର କୋଟି କୋଟି ନାଗରିକ ଏବେ ଇ- ପେମେଣ୍ଟ  ସହ ଯୋଡ଼ି ହୋଇଛନ୍ତି । କଳାବଜାର ଉପରେ ରୋକ୍ ଲଗାଇବାକୁ ଏହା ଏକ ବଡ଼ ପଦକ୍ଷେପ । ୨୦୨୦ ସୁଦ୍ଧା ଭାରତର ପ୍ରତି ଗାଁରେ ଇଣ୍ଟରନେଟ୍ ସୁବିଧା ମିଳିବ ଓ ଏହା ଦ୍ୱାରା ଅର୍ଥନୈତିକ ପ୍ରଗତି ତ୍ୱରାନ୍ୱିତ ହୋଇପାରିବ ବୋଲି ଆଶା କରାଯାଉଛି ।

ସ୍ୱଚ୍ଛ ଭାରତ ଯୋଜନା

ମୋଦି ଯେତେବେଳେ ଏହି ଯୋଜନାର ଘୋଷଣା କଲେ ସେତେବେଳେ ସମସ୍ତେ ଉପହାସ କରିବା  ଆରମ୍ଭ କରିଥିଲେ । କିନ୍ତୁ ଗତ ଅଢ଼େଇ ବର୍ଷ ମଧ୍ୟରେ ଏହା କୋଟି କୋଟି ଲୋକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଛି । ରେଳ ଷ୍ଟେସନ୍ ଓ ସର୍ବସାଧାରଣ ସ୍ଥାନରେ ସଫେଇ ଏବେ ଶହ ଶହ ଅନୁଷ୍ଠାନମାନଙ୍କ  ପାଇଁ  ଏକ ଫେସନ ପାଲଟିଛି ।

 ଗ୍ରାମାଞ୍ଚଳ ବିକାଶ ଉପରେ ନଜର

ମୋଦି ବିଶେଷ କରି ଗ୍ରାମାଞ୍ଚଳର ଉନ୍ନତି ଉପରେ ବିଶେଷ ଦୃଷ୍ଟି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ମୋଦି ସରକାରଙ୍କ ଏକ ସଫଳ ଯୋଜନା ବୋଲି କୁହାଯାଇପାରେ । ରନ୍ଧନ ଗ୍ୟାସ୍ କଣ ଜାଣି ନ ଥିବା ହଜାର ହହାର ମହିଳା ଏବେ ରୋଷେଇ ପାଇଁ ରନ୍ଧନ ଗ୍ୟାସ୍ ବ୍ୟବହାର କରୁଛନ୍ତି । ଏହା  ଛଡ଼ା କୃଷି ସିଞ୍ଚନ ଯୋଜନା ଓ  ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମାଞ୍ଚଳ ଲୋକଙ୍କ ବିକାଶ ଦିଗରେ ସହାୟକ ହୋଇପାରିଛି ଓ ସେମାନଙ୍କ ଜୀବନଧାରଣର ମାନ ବଢ଼ିଛି ।  ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଦେଶର ଶତ ପ୍ରତିଶତ ଗାଁ  ବିଦ୍ୟୁତ୍‌କରଣ ହୋଇଛି ବୋଲି ଘୋଷଣା କରିଛନ୍ତି । ମୋଦି ଶାସନକୁ  ଆସିବା ପୂର୍ବରୁ ୧୮ ହଜାର ଗାଁରେ ବିଜୁଳି ପହଞ୍ଚି ନ ଥିଲା

ସୁକନ୍ୟା ସମୃଦ୍ଧି ଯୋଜନା

ନାରୀ ସଶକ୍ତିକରଣ ଦିଗରେ ଏହା ଏକ ଭଲ ପଦକ୍ଷେପ । ବେଟି ପଢ଼ାଓ, ବେଟି ବଚାଓ ଅଭିଯାନରେ ନରେନ୍ଦ୍ର ମୋଦି ୨୨ ଜାନୁଆରୀ ୨୦୧୫ରେ ଏହି ଯୋଜନାର ଆରମ୍ଭ କରିଥିଲେ । ଏହା ବେଶ ଲୋକପ୍ରିୟତା ଅର୍ଜନ କରିଛି । ୧୮ ବର୍ଷ ପରେ ଝିଅମାନଙ୍କର ଉଚ୍ଚତର ପାଠପଢ଼ା ଓ ବିବାହ ପ୍ରଭୃତି କାମରେ  ସଞ୍ଚିତ ଅର୍ଥ ଉପଯୋଗ ହୋଇପାରିବ ।

ଜିଏସଟି

ଦେଶରେ ଟିକସ ବ୍ୟବସ୍ଥାରେ ସୁଧାର ପାଇଁ ନରେନ୍ଦ୍ର ମୋଦି ୨୦୧୭ ଜୁଲାଇ ପହିଲାରୁ ଗୋଟିଏ ଦେଶ ଗୋଟିଏ ଟିକସ ବା ଜିଏସଟି ପ୍ରଚଳନ କରିଥିଲେ ମୋଦି । ବିମୁଦ୍ରାକରଣ ଭଳି ଏହା ମୋଦିଙ୍କ ଏକ ବଡ଼ ମୂର୍ଖାମୀ ବୋଲି ବିରୋଧୀ ଦଳ ଦାବି କରୁଛନ୍ତି । କିନ୍ତୁ ଏହାର ସଫଳତା ସୁଦୂରପ୍ରସାରୀ ବୋଲି ଅର୍ଥନୀତିଜ୍ଞ ମାନେ ମତ ଦେଇଛନ୍ତି ।  ଟିକସ ବ୍ୟବସ୍ଥାରେ ଜିଏସଟି ଏକ ବଡ଼ ବିପ୍ଳବ ଆଣିଛି ।

ନିତି ଆୟୋଗ ଗଠନ

ଶୃଙ୍ଖଳିତ ସଂଘୀୟ ବ୍ୟବସ୍ଥା ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସହଯୋଗରେ ସୁଦୃଢ଼ ଭାରତ ଗଠନ ଉଦ୍ଦେଶ୍ୟରେ ମୋଦି ସରକାର ଗଠନ କରିଛନ୍ତି  ନିତି ଆୟୋଗ । ବିକାଶ ଦିଗରେ ଭାରତକୁ ଆଗେଇ ନେବା ଉଦ୍ଦେଶ୍ୟରେ ଶିଥିଳ ପଡ଼ିଥିବା ଯୋଜନା କମିଶନକୁ ଭାଙ୍ଗି ମୋଦି ସରକାର ନିତି ଆୟୋଗ ଗଠନ କରିଛନ୍ତି । ଏହା ଦ୍ୱାରା ଯୋଜନା ପ୍ରଣୟନ କ୍ଷେତ୍ରରେ ରାଜ୍ୟଗୁଡ଼ିକୁ ସମାନ କ୍ଷମତା ପ୍ରଦାନ କରାଯାଇଛି ।

ଏସବୁ ବାଦ୍ ବାରମ୍ବାର ତୈଳ ଦର ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି, କାଶ୍ମୀର ସମସ୍ୟା, ଆଭ୍ୟନ୍ତରୀଣ ନିରାପତ୍ତା, ବେକାରୀ ସମସ୍ୟା ବୃଦ୍ଧି, ନାରୀ ନିର୍ଯାତନା ବୃଦ୍ଧି ଆଦି କ୍ଷେତ୍ରରେ ମୋଦି ବିଫଳ ହୋଇଛନ୍ତି ବୋଲି କୁହାଯାଇପାରେ । ଏହି ସବୁ ପ୍ରସଙ୍ଗକୁ ଅଣଦେଖା କଲେ ମୋଦି ଓ ବିଜେପିକୁ ଆଗାମୀ ନିର୍ବାଚନରେ ବହୁମୂଲ୍ୟ ଦେବାକୁ ପଡ଼ିପାରେ ।

(ଓମ୍ ପ୍ରକାଶ ସାହୁ)

ଆହୁରି ପଢ଼ନ୍ତୁ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

You might also like