ମୋବାଇଲ ବ୍ୟବହାର ନେଇ କଟକଣା : ପରୀକ୍ଷା ବେଳେ ମୋବାଇଲ ଧରି ପାରିବେନି ପରୀକ୍ଷକ
ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷକମାନେ ମୋବାଇଲ ବ୍ୟବହାର କରିପାରିବେନି। ଏନେଇ ଜାରି ହୋଇଛି କଟକଣା। କିନ୍ତୁ ଏହାକୁ କେତେକ ପରୀକ୍ଷାକେନ୍ଦ୍ରରେ ପାଳନ କରାଯାଉନଥିବା ନଜରକୁ ଅାସିଛି। ତେବେ ଏହାକୁ କଡାକଡି ପାଳନ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଅାଯାଇଛି। ପରୀକ୍ଷକମାନେ କୌଣସି ପରିସ୍ଥିତିରେ ପରୀକ୍ଷା ହଲରେ ନିଜ ପାଖରେ ମୋବାଇଲ ରଖିପାରିବେ ନାହିଁ। ଏପରିକି ବନ୍ଦ ଥିବା ମୋବାଇଲ ପାଖରେ ମଧ୍ୟ ରଖିପାରିବେ ନାହିଁ। ପରୀକ୍ଷାର୍ଥୀମାନଙ୍କୁ ଚିହ୍ନଟ କରିବାକୁ ଅାସିଥିବା ଶିକ୍ଷକମାନେ ମଧ୍ୟ ମୋବାଇଲ ବ୍ୟବହାର କରିବେ ନାହିଁ।
ଏଥିସହ ଗଣମାଧ୍ୟମ ପ୍ରତିନିଧିମାନେ ପରୀକ୍ଷା ହଲ ଭିତରକୁ ପ୍ରବେଶ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। କେବଳ ସେଣ୍ଟର ସୁପରିଟେଣ୍ଡେଣ୍ଟମାନେ ମୋବାଇଲ ବ୍ୟବହାର କରିପାରିବେ। ଏହି ନିର୍ଦ୍ଦେଶନାମାକୁ କଡାକଡି ପାଳନ କରିବା ପାଇଁ ବୋର୍ଡ ପକ୍ଷରୁ ସବୁ ସେଣ୍ଟର ସୁପରିଟେଣ୍ଡେଣ୍ଟମାନଙ୍କୁ ନିର୍ଦ୍ଦେଶ ଦିଅାଯାଇଛି ।