ବିଧାନସଭା ଗୃହ କମିଟିକୁ ବେଖାତିର: ଶକ୍ତି ଓ ସୀମା ବିବାଦ ଆଲୋଚନାକୁ ଆସିଲେନି ବିଭାଗୀୟ ମନ୍ତ୍ରୀ
ଭୁବନେଶ୍ୱର: ଗୁରତ୍ୱପୂର୍ଣ ପ୍ରସଙ୍ଗରେ ଆଲୋଚନା କରି ନିଷ୍ପତ୍ତି ନେବାକୁ ସରକାର ବିଧାନସଭା ଗୃହ କମିଟି ଗଠନ କରିଥିଲେ। କିନ୍ତୁ ଏହା ନିୟମିତ ବ୍ୟବଧାନରେ ବସୁ ନାହିଁ। ଯଦି ବା କେତେବେଳେ କେମିତି ବସୁଛି କିନ୍ତୁ ସଦସ୍ୟ ଆସୁ ନାହାଁନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଶୁକ୍ରବାର ଦେଖିବାକୁ ମିଳୁଛି। ଆଜି ବିଜୁଳି ଉତ୍ପାଦନ ଓ ସୀମା ବିବାଦ ଭଳି ଦୁଇଟି ଗୁରତ୍ୱପୂର୍ଣ ପ୍ରସଙ୍ଗରେ ଗୃହ କମିଟିର ବୈଠକ ଥିଲା। ଏଭଳି ଏକ ଗୁରତ୍ୱପୂର୍ଣ ପ୍ରସଙ୍ଗରେ ଆଲୋଚନା ଥିବା ସତ୍ତ୍ୱେ ରାଜସ୍ୱ ଓ ଶକ୍ତି ମନ୍ତ୍ରୀଙ୍କ ସମେତ ଅଧାରୁ ଅଧିକ ସଦସ୍ୟ ଗୃହରେ ଅନୁପସ୍ଥିତ ଥିଲେ। ଫଳରେ ବିନା ନିଷ୍ପତ୍ତିରେ ମାତ୍ର ୧୦ ମିନିଟରେ ସୀମା ବିବାଦ ସଂପର୍କିତ ଗୃହ କମିଟି ବୈଠକ ସରିଯାଇଥିଲା।
କୋରାପୁଟ କୋଟିଆ ଗାଁକୁ ଆନ୍ଧ୍ର ନିଜ ଅଧିନରେ ରଖିବାକୁ ଢେର ବର୍ଷ ହେଲା ଗାଁ ଲୋକଙ୍କୁ ପ୍ରଲୋଭିତ କରୁଛନ୍ତି ଆନ୍ଧ୍ର ସରକାର। କୋଟିଆ ପରି ସୀମାର ୯୬ ଟି ଗାଁକୁ ନେଇ ପଡ଼ୋଷୀ ଆନ୍ଧ୍ର ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ ସହ ଓଡ଼ିଶାର ବିବାଦ ଲାଗିରହିଛି। ଏସବୁ ବିବାଦ ଧୀରେ ଧୀରେ ତୀବ୍ର ହେଉଥିବା ବେଳେ ଗୃହ କମିଟି କିନ୍ତୁ ନିୟମିତ ବସୁନି। ସୀମା ବିବାଦ ସଂପର୍କିତ ଗୃହକମିଟି ଗତ ତିନି ବର୍ଷରେ ମାତ୍ର ତିନିଥର ବସିଛି। ଏବର୍ଷ କୋଟିଆ ବିବାଦ ତୀବ୍ର ରୁପ ନେବା ପରେ ବି କମିଟି ବୈଠକ ବସି ନ ଥିଲା। ଆଜି ଡକାଯାଇଥିବା ବୈଠକକୁ ୩୩ ସଦସ୍ୟଙ୍କ ଭିତରୁ ମାତ୍ର ୧୨ ଜଣ ଆସିଥିଲେ। ଖୋଦ ରାଜସ୍ୱ ମନ୍ତ୍ରୀ ବି ଆସି ନଥିଲେ। ଫଳରେ ପରବର୍ତ୍ତୀ ବୈଠକକୁ ସୀମା ବିବାଦ ଥିବା ଜିଲ୍ଲାର ଜିଲ୍ଲାପାଳ ଓ ଆରଡିସି ମାନଙ୍କୁ ଡକାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।
ମହାନଦୀ, ପୋଲାଭରମ, ଏମ୍ଏସ୍ପି ପରି ଗରୁତ୍ୱ ପୂର୍ଣ ପ୍ରସଙ୍ଗରେ ବିଧାନସଭାର ଗୃହ କମଟି ଗଠନ ହୋଇଛି। ୬ ଟି ଗୃହ କମିଟିରେ ତ ଖୋଦ ବାଚସ୍ପତି ଅଧ୍ୟକ୍ଷ ଅଛନ୍ତି। ଶକ୍ତି ସଙ୍କଟକୁ ଦେଖି ସରକାର ମଧ୍ୟ ଏକ ଗୃହ କମିଟି ଗଠନ କରିଛନ୍ତି। ଶକ୍ତି ମନ୍ତ୍ରୀଙ୍କ ସହ ୪୨ ବିଧାୟକ ଏହାର ସଦସ୍ୟ ଅଛନ୍ତି। ତେବେ ଆଜି ବାଚସ୍ପତି ଡାକିଥିବା ଏହି ବୈଠକକୁ ମାତ୍ର ୧୪ ଜଣ ବିଧାୟକ ଆସିଥିଲେ। ଶକ୍ତି ମନ୍ତ୍ରୀ ଆସି ନ ଥିବାରୁ ଉଦବେଗ ପ୍ରକାଶ କରିଥିଲେ ବାଚସ୍ପତି।
ସେହିଭଳି ୨୦୧୭ ମେ ୬ ତାରିଖରେ ଡାକାଯାଇଥିବା ବୈଠକକୁ କୋରମ ଅଭାବରୁ ବାତିଲ କରାଯାଇଥିଲା। ଏବେ ଅଘୋଷିତ ବିଦ୍ୟୁତ କାଟକୁ ନେଇ ଲୋକ ହୀନସ୍ତା ହେଉଥିବା ବେଳେ ବୈଠକକୁ ଆସୁନାହାଁନ୍ତି ଶାସକ ଦଳର ବିଧାୟକ। ଏଥିପାଇଁ ବିରୋଧୀ ଦଳ ନେତାମାନେ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ଗୃହ କମିଟି ବୈଠକ ନିୟମିତ ବ୍ୟବଧାନରେ ବସୁ ନ ଥିବାରୁ ଯେଉଁ ଉଦ୍ଦେଶ୍ୟରେ ଏହା ଗଠନ ହୋଇଛି, ତାହା କେତେ ପୁରଣ ହେଉଛି ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ ବାଚୀ।