ଓଲଟା ବାଣ ମାରି ବିଜେପିକୁ ଘାଇଲା କଲେ ବିଜୟ

ଭୁବନେଶ୍ୱର : ବିଜୟଙ୍କ ପ୍ରଶ୍ନ ବାଣରେ ଘାଇଲା ବିଜେପି। ଭାଗୁଆଳି ଶାସନରେ ଆଇନ ବିଭାଗର ଦାୟିତ୍ୱ ନେଇ ବିଜେପି ଶ୍ରୀମନ୍ଦିର ପାଇଁ କଣ କରିଛି ବୋଲି ପ୍ରଶ୍ନ କରିଛନ୍ତି ବିଜୟ। ୬ ମାସରେ ରତ୍ନଭଣ୍ଡାର ଖୋଲିବା ନିୟମ ଥିଲେ ବି ୯ ବର୍ଷରେ କେତେଥର ଖୋଲାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ବିଜୟ। ଅନ୍ୟକୁ କହିବା ପୂର୍ବରୁ ଭାବିଚିନ୍ତି କହିବା କଥା ବୋଲି ନିଜ ଦଳର ନେତାଙ୍କୁ ପରାମର୍ଶ ଦେଇଛନ୍ତି ବିଜୟ ମହାପାତ୍ର। ତେବେ ବିଜୟଙ୍କ ଏ ବାଣ ବିଜେପିକୁ ଅଡୁଆରେ ପକାଇଛି।

ଏପଟେ ଦାନହୁଣ୍ଡିରୁ ମିଳିଥିବା ସୁନା ଅଳଙ୍କାରକୁ ଶ୍ରୀମନ୍ଦିରସ ପ୍ରଶାସନ ବ୍ୟାଙ୍କରେ ରଖିବା ଓ ଏଥିରୁ ସାଢେ ୪ କେଜି ସୁନାର ହିସାବ ନ ମିଳିବା ନେଇ ଆଜି ପୁଣି ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁସାରେ ୧୯୯୩-୯୪ରୁ ଚଳିତ ବର୍ଷ ଫେବୁଆରୀ ୮ ସୁଦ୍ଧା ହୁଣ୍ଡିରୁ ୧୮ କେଜି ୨୩୧ ଗ୍ରାମ ସୁନା ମିଳଥିଲା। ତେବେ ପ୍ରଶାସନ ୧୪ କେଜି ସୁନା ଲକରରେ ରଖିଥିବାରୁ ବାକି ୪ କେଜିରୁ ଉର୍ଦ୍ଧ୍ୱ ସୁନା  ଚୋରି ହୋଇଛି କି ବୋଲି ପ୍ରଶ୍ନ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି।

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ସରକାରଙ୍କ ବିରୋଧରେ ବିଜେପିର ବିକ୍ଷୋଭ ଓ  ପ୍ରତିବାଦ ସଭା ଦ୍ୱିତୀୟ ଦିନରେ ପହଞ୍ଚିଛି। ଆଜି ଭୁବନେଶ୍ୱର ସମେତ କେତେକ ସ୍ଥାନରେ ବିକ୍ଷୋଭ ସହ କେତେକ ସ୍ଥାନରେ ଥାନାରେ ଚାବି ହଜିବା ନେଇ ଏଫ୍ଆଇଆର୍ ଦେଇଛି ଦଳ।

You might also like