ଗାଁରେ ପଶି ଭୁଜାଲିରେ ହାଣିଲେ ଦୁର୍ବୃତ୍ତ

ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଚାଉଳିଆ ଖମାର ଗାଁରେ ଆତଙ୍କ। ଗାଁରେ ପଶି ୨ ଜଣଙ୍କୁ ଭୁଜାଲିରେ ହାଣିବା ପରେ ବୋମା ଫୁଟାଇ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି।

ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ, ଆଜି ସକାଳ ପ୍ରାୟ ୬ଟା ବେଳେ ୯ ଜଣ ଦୁର୍ବୃତ୍ତ ୩ଟି ବାଇକରେ ଗାଁକୁ ଆସିଥିଲେ। ଗାଁର ଦୁଇ ଜଣ ଲୋକଙ୍କୁ ଭୁଜାଲିରେ ହାଣିବା ପରେ ବୋମା ଫିଙ୍ଗି ଫେରାର ହୋଇଯାଇଥିଲା। ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ଚାଉଳିଆ ଖମାର ଗାଁର ଶଙ୍କର୍ଷଣ ବେହେରା ଓ କାଳନ୍ଦୀ ବାରିକ ଉଭୟଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନାଥାଉ କି, ଚାଉଳିଆ ଖମାର ଗାଁ ନିକଟରେ ଚାଲିଥିବା ରେଙ୍ଗାଲି ବାମପାର୍ଶ୍ୱ କେନାଲର ନିର୍ମାଣ କାମ ନିମ୍ନମାନର ହେଉଥିବା ନେଇ ଗାଁ ଲୋକେ ଅଭିଯୋଗ କରିଥିଲେ। ଏ ନେଇ ସେମାନେ କିଛି ଦିନ ତଳେ ଉଭୟ ଠିକାଦାର ଓ ଜେଇଙ୍କୁ ଅଟକ ରଖିଥିଲେ। ତେବେ ଘଟଣା ବିରୋଧରେ ଏଭଳି ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ

You might also like