ଅଗ୍ନିକାଣ୍ଡରେ ନାବାଳକ ଜୀବନ୍ତ ଦଗ୍ଧ
କଟକ: କଟକ ଜିଲ୍ଲା ମାହାଙ୍ଗା ଧର୍ମଦାସପୁରରେ ଅଘଟଣ। ରାତିରେ ଶୋଇଥିବା ବେଳେ ନାବାଳକ ଜୀବନ୍ତ ଦଗ୍ଧ। ମୃତକ ହେଉଛନ୍ତି ପ୍ରଣବ ମିଶ୍ରଙ୍କ ୧୩ ବର୍ଷର ପୁଅ ପ୍ରକାଶ ମିଶ୍ର।
ଗତକାଲି ବିଳମ୍ବିତ ରାତିରେ ପ୍ରଣବଙ୍କ ଘରେ ନିଆଁ ଲାଗି ଯାଇଥିଲା। ଅନ୍ୟ ଏକ ବଖରାରେ ପୁଅ ପ୍ରକାଶ ଶୋଇଥିଲା। ନିଆଁ ଲାଗି ଯିବା ପରେ ଚାଳ ଭୁଶୁଡ଼ି ପଡ଼ିବାରୁ ଘରେ ଲୋକେ ତାକୁ ଆଉ ଉଦ୍ଧାର କରିପାରିନଥିଲେ।
ଫଳରେ ନାବାଳକ ଜୀଅନ୍ତା ଜଳି ଯାଇଥିଲା। ଦମକଳ ବାହିନୀ ଆସିବା ପରେ ନିଆଁ ଲିଭାଇ ମୃତଦେହ ଉଦ୍ଧାର କରିଥିଲେ। ଘରେ କେମିତି ନିଆଁ ଲାଗିଥିଲା ସେ ସଂପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ।