ଲାଗୁ ହେଲା ମେଣ୍ଟାଲ ହେଲଥ୍‌କେୟାର ଆଇନ-୨୦୧୭

ଭୁବନେଶ୍ୱର : ମାନସିକ ରୋଗୀଙ୍କୁ ଚେନ୍‌ରେ ବାନ୍ଧି ରଖିବା ବେଆଇନ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ ମେଣ୍ଟାଲ ହେଲଥକେୟାର ଆଇନ-୨୦୧୭ରେ ମାନସିକ ରୋଗୀଙ୍କୁ ଚେନରେ ବାନ୍ଧି ରଖିବା ଉପରେ କଟକଣା ଲଗାଯାଇଛି। ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ନଥିଲେ ମାନସିକ ରୋଗୀଙ୍କୁ ଏକୁଟିଆ ବନ୍ଦ କରି ରଖିବା ଓ ସେମାନଙ୍କର ବନ୍ଧ୍ୟାକରଣକୁ ମଧ୍ୟ ଆଇନରେ ବାରଣ କରାଯାଇଛି।

ନୂଆ ଆଇନ୍ ଅନୁସାରେ ମାନସିକ ରୋଗରେ ପୀଡିତ ଶିଶୁଙ୍କୁ ଇଲେକ୍ଟ୍ରିକ୍ ସକ୍ ଥେରାପି ଦିଆଯାଇପାରିବ ନାହିଁ। ବୟସ୍କ ରୋଗୀଙ୍କୁ ସକ୍ ଥେରାପି ଦେବା ଉପରେ ମଧ୍ୟ ଆଇନରେ କଟକଣା ରହିଛି। ନିଶ୍ଚେତକ ଓ ମାଂସପେଶୀକୁ ଆରାମ ଦେଉଥିବା ମେଡିସିନ୍ ଦିଆଯିବା ପରେ ହିଁ  ଇଲେକ୍ଟ୍ରିକ୍ ସକ୍ ଦିଆଯାଇପାରିବ। ଅନ୍ୟପକ୍ଷରେ ଭବିଷ୍ୟତରେ ମାନସିକ ରୋଗରେ ପୀଡିତ ହେବେ ବୋଲି ଯଦି କୌଣସି ବ୍ୟକ୍ତି ଆଶଙ୍କା କରୁଥାଆନ୍ତି ,ତାହେଲେ ସେଇ ସମୟରେ ତାଙ୍କୁ କେଉଁ ଧରଣର ଚିକିତ୍ସା ଦିଆଯିବ ତାହା ସେ ଆଗୁଆ ନିର୍ଦ୍ଧାରଣ କରିପାରିବେ।

ସେପଟେ ଆତ୍ମହତ୍ୟା ଉଦ୍ୟମକୁ ଅପରାଧ ତାଲିକାରୁ ବାଦ୍ ଦେଇଛନ୍ତି କେନ୍ଦ୍ର ସରକାର। ଫଳରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ବ୍ୟକ୍ତି ବିରୁଦ୍ଧରେ ଆଇପିସି ଧାରା ଲାଗୁ ହେବ ନାହିଁ। ଅନ୍ୟପକ୍ଷରେ ଆତ୍ମହତ୍ୟା ଉଦ୍ୟମ ମାନସିକ ଚାପଜନିତ ବୋଲି ବିବେଚନା କରାଯିବ। ଏଭଳି ବ୍ୟକ୍ତିଙ୍କୁ ସରକାର ଆବଶ୍ୟକ ଯତ୍ନ,ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହ ତାଙ୍କର ଥଇଥାନ ବ୍ୟବସ୍ଥା କରିବେ।

ଆଗରୁ ଯଦି କେହି ଆତ୍ମହତ୍ୟା ଉଦ୍ୟମ କରୁଥିଲେ, ତେବେ ଆଇପିସିର ଧାରା ୩୦୯ ଅନୁଯାୟୀ ଏହାକୁ ଅପରାଧ ବୋଲି ବିବେଚନା କରାଯାଉଥିଲା। ଏଥିଲାଗି ଜେଲଦଣ୍ଡ ସହ ଜରିମାନାର ବ୍ୟବସ୍ଥା ଥିଲା। ତେବେ ଆତ୍ମହତ୍ୟା ଉଦ୍ୟମ ପଛରେ ମାନସିକ ଚାପ ବ୍ୟତୀତ ଯଦି ଅନ୍ୟ କାରଣ ଥାଏ, ତେବେ ସେ କ୍ଷେତ୍ରରେ ଆପିସିର ଧାରା ୩୦୯ ଲାଗୁ ହେବ।

You might also like