ସରକାରଙ୍କ ବିଜୁ ଯୁବ ବାହିନୀକୁ ଝଟ୍‌କା

ଭୁବନେଶ୍ୱର : ଆାଦିବାସୀ ଇଲାକାରେ ବିଜୁଯୁବ ବାହିନୀକୁ ଝଟ୍‌କା। ସରକାରଙ୍କ ଏହି ବହୁ ପ୍ରତୀକ୍ଷିତ ଯୋଜନା ଆଡକୁ ଢଳୁ ନାହାଁନ୍ତି ପାଠୁଆ ଯୁବକଯୁବତୀ।  ମାଟ୍ରିକ ପାସ ଯୁବକ ଯୁବତୀ ଯୁବ ବାହିନୀର ସଭାପତି, ସଂପାଦକ ଓ କୋଷାଧ୍ୟ୍ୟକ୍ଷ  ପଦରେ ରହି ପାରିବେ ବୋଲି ପୂର୍ବରୁ ଗାଇଡଲାଇନ ପ୍ରସ୍ତୁତ କରିଥିଲେ ସରକାର। ତେବେ ବି଼ଡମ୍ବନା ହେଉଛି ଆଦିବାସୀ ବହୁଳ ବ୍ଲକର ଜଣେ ବି କେହି ମାଟ୍ରିକ ପାସ ପିଲା ଏଥିପାଇଁ ଆବେଦନ କଲେ ନାହିଁ। ଯାହା ସରକାରଙ୍କ ଅକଲ ଗୁଡୁମ କରିଦେଇଛି। ତେଣୁ ଆଦିବାସୀ ଇଲାକା ପାଇଁ ଶିକ୍ଷାଗତ ଯୋଗ୍ୟତାର ମାପଦଣ୍ଡକୁ ପୁରା ଉଠାଇଦେଇଛନ୍ତି ସରକାର। ଚର୍ଚ୍ଚା ଆଦିବାସୀ ଅଞ୍ଚଳର ଯୁବକ ବି ଯୁବ ବାହିନୀ ପଛରେ ରାଜନୀତିର ଗନ୍ଧ ବାରୁଛନ୍ତି। ଯୁବ ବାହିନୀରେ ସମୟ ନଷ୍ଟ ନ କରି କ୍ୟାରିୟରକୁ ଅଧିକ ଫୋକସ କରିବାକୁ ଚାହୁଁଛନ୍ତି ସୁନ୍ଦରଗଡର କଲେଜ ପଢୁଆ ଯୁବକ। ମାଲାକାନାଗିରିରେ ବି ସମାନ ଅବସ୍ଥା।

ଉପକୂଳ ଓ ପଶ୍ଚିମ ଓଡିଶାର କିଛି ସ୍ଥାନରେ ଖୋଦ ଶାସକ ଦଳର ବିଧାୟକ  ଓ ନେତା ଯୁବ ବାହିନୀ ଗଠନ ପାଇଁ ଅଣ୍ଟା ଭିଡିଛନ୍ତି। ପଞ୍ଚାୟତ ସ୍ତରରେ ବୈଠକ କରୁଛନ୍ତି। ପୂର୍ବରୁ ଦଳୀୟ ଚିହ୍ନ ଥାଇ ବିଜେଡି ନେତା ବିଜୁ ଯୁବ ବାହିନୀରେ ନିଯୁକ୍ତି ପାଇଁ ପୋଷ୍ଟର ଛପାଇଥିଲେ, ଏବେ ଦଳୀୟ କର୍ମୀଙ୍କୁ ବିଜୁ ଯୁବ ବାହିନୀରେ ଯୋଗ ଦେବାକୁ ପ୍ରବର୍ତ୍ତା ଯାଉଥିବାର ଫଟୋ ପ୍ରମାଣ ସାମ୍ନାକୁ ଆସିଛି। କିନ୍ତୁ ଆଦିବାସୀ ଅଞ୍ଚଳରେ ନେତାଙ୍କ କାରସାଦୀ କାମ କରୁନି। ବିରୋଧୀଙ୍କ ଅଭିଯୋଗ ରାଜନୈତିକ ଫାଇଦା ପାଇଁ ସରକାର ଯୁବ ବାହିନୀ ଗଠନ କରିଛନ୍ତି।

୮ ହଜାର ଯୁବ ବାହିନୀ ଗଠନ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ପୁଣି ଏଥିରେ ଯୁବ କ୍ଲବକୁ ଏକକାଳୀନ ୧୫ ହଜାର ଟଙ୍କା ଲେଖାଁଏ ଆର୍ଥିକ ସହାୟତା ମିଳିବ। ୩ ବର୍ଷ ପାଇଁ ଯୁବବାହିନୀ ପଛରେ ସରକାର ଖର୍ଚ୍ଚ କରିବେ ୪୫୦ କୋଟି ଟଙ୍କା।

You might also like