• translate
Odishatv Bureau

ଛତିଶଗଡ : ଏମାନେ ଜୀବନ ଓ ଯନ୍ତ୍ରଣାର ମଝି ନଈରେ ଭାସି ଚାଲିଥିଲେ। ସୁଖ ଓ ଦୁଃଖର ଭାଗବାଣ୍ଟ କରିବାକୁ ତାଙ୍କ ପାଖରେ ନଥିଲା ସମୟ। କାରଣ ରାତି ପାହିଲେ ସେମାନେ ଭେଟୁଥିଲେ ନୂଆ ଚେହେରାଙ୍କୁ। ଆରମ୍ଭ ହୋଇଯାଉଥିଲା ଦେହ ସଉଦା , ମୂଲଚାଲ। ଏମିତି ଅନେକ ଦିନରୁ ସେଠାରେ ଏହି ଦେହ ବ୍ୟବସାୟର କାରବାର ଚାଲିଆସୁଥିଲା। ଏହା କୌଣସି ଗପ କି କାହାଣୀର ସାରାଂଶ ନୁହେଁ। ଛତିଶଗଡର ମୁଙ୍ଗେଳି ଜିଲ୍ଲାରେ ଦେହ ବ୍ୟବସାୟରେ ଲିପ୍ତ ଥିବା ମହିଳାଙ୍କ ପାଇଁ ଏମିତି ଥିଲା ଦିନଚର୍ଯ୍ୟା।

ସୂଚନା ଅନୁସାରେ ମୁଙ୍ଗେଳି ଜିଲ୍ଲାରେ ବହୁମାତ୍ରାରେ ଦେହ ବ୍ୟବସାୟ ହୋଇଥାଏ । ଦୀର୍ଘଦିନରୁ ଏଠାକାର ମହିଳାମାନଙ୍କୁ ଏଥିରେ ଲିପ୍ତ ରହିବାକୁ ବାଧ୍ୟ କରାଯାଏ । ଯଦି କେହି ମହିଳା ଏହାକୁ ବିରୋଧ କରି ପାଠ ପଢିବାକୁ କହିଥାଏ, ତେବେ ସେଥିରୁ ନିବୃତ୍ତ ହୋଇପାରୁ ନଥିଲେ।

ଏବେ ଏକ ଅଭିନବ ପ୍ରୟାସ କରି ସେଠାରୁ ଦେହ ବ୍ୟବସାୟକୁ ବନ୍ଦ କରିବାରେ ସଫଳ ହୋଇଛି ପୋଲିସ୍। କିଛି ମହିଳାଙ୍କୁ ଏକତ୍ର କରି ଏକ ସଂଗଠନ ତିଆରି କରାଯାଇଥିଲା। ସେମାନଙ୍କୁ ସଚେତନ କରାଯାଇ କେମିତି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‌ ହେବେ ଏବଂ ଏକ ଉନ୍ନତ ଜୀବନ ଜିଇଁବେ ତା ବିଷୟରେ ବୁଝାଯାଇଥିଲା। ଦେହରେ ଲାଲ୍ ରଙ୍ଗର ଶାଢି ଓ ମୁଣ୍ଡରେ ଧଳା ରଙ୍ଗର ଟୋପି ସାଙ୍ଗକୁ ହାତରେ ଲାଠି ଧରି ମହିଳାମାନେ ସହରର ଗଳିକନ୍ଦିରେ ଘୁରି ବୁଲିଥିଲେ । ସମସ୍ତ ମହିଳାଙ୍କୁ ଏକାଠି କରି ଏପରି କାମ ଆଉ ନକରିବାକୁ ବୁଝାଇଥିଲେ ଏବଂ ଯେଉଁ ଲୋକ ସେ ଅଞ୍ଚଳକୁ ଆସୁଥିଲେ, ସେମାନେ ଆଉ ଏପରି କାମ ଆଶା ନେଇ ନଆସିବାକୁ କହିଥିଲେ। ଯଦି ଏପରି କାମ କରିବାକୁ ବାଧ୍ୟ କରନ୍ତି ତ ପୋଲିସ୍‌କୁ ଜଣାଇଦେବାର ଭୟ ଦେଖାଇଥିଲେ।

ପୋଲିସ ଏହି କାରବାରକୁ ବନ୍ଦ କରିବା ପାଇଁ ବହୁ ପୂର୍ବରୁ ଚେଷ୍ଟା କରିଚାଲିଥିଲା, କିନ୍ତୁ ଏଥିରେ ବାରମ୍ବାର ବିଫଳ ହୋଇଥିଲା। ଏବେ ପୋଲିସ ବିଭାଗର ସହଯୋଗରେ ଏହି ମହିଳାମାନେ ଦେହ ବ୍ୟବସାୟକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦେଇଛନ୍ତି । ଆଉ ବିତାଉଛନ୍ତି ସାଧାରଣ ଜୀବନ ଏବଂ ନିଜକୁ ଏବେ ସ୍ୱୟଂ ସଂପୂର୍ଣ୍ଣ ମନେକରୁଛନ୍ତି ବୋଲି କହିଛନ୍ତି ଏହି ମୁଙ୍ଗେଳି ଜିଲ୍ଲାର ମହିଳାମାନେ। ମୁହଁରେ ଏବେ ତାଙ୍କର ମନ ଖୋଲା ହସ।

Other Stories