କିଟ୍‌ର ଗୁଣ୍ଡାଗିରି: ଓଟିଭି ପ୍ରତିନିଧିଙ୍କୁ ଧକ୍କା ମାରିଲେ, ଗାଳି ଦେଲେ

ଭୁବନେଶ୍ୱର: ସମାଜସେବୀ ତଥା ରାଜ୍ୟସଭା ସାଂସଦଙ୍କ କିଟ୍‌ ଗୁଣ୍ଡାଗର୍ଦ୍ଦିକୁ ଓହ୍ଲାଇ ଆସିଛି। ବେଆଇନ୍ ଭାବେ ଅନ୍ୟର ଜମି ଉପରେ କିଟ୍‌ର ନିର୍ମାଣକୁ ନେଇ ଆଜି  ଉତ୍ତେଜନା ସୃଷ୍ଟି ହୋଇଥିଲା। ବେଆଇନ ନିର୍ମାଣକୁ ବିରୋଧ କରୁଥିବା ଜମି ମାଲିକ ଓ ଖବର ସଂଗ୍ରହ ପାଇଁ ଯାଇଥିବା ଓଟିଭି ଟିମ୍ ଉପରେ କିଟ୍ ଗୁଣ୍ଡା ଆକ୍ରମଣ କରିଛନ୍ତି।

ଓଟିଭି ପ୍ରତିନିଧି ଓ କ୍ୟାମେରାମ୍ୟାନ୍‌ଙ୍କୁ କିଟ୍ ଗୁଣ୍ଡାମାନେ ଧକ୍କା ମାରିବା ସହ କ୍ୟାମେରା ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ। ଘଟଣା ସମୟରେ ପୋଲିସ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

କିଛି ଦିନ ତଳେ କିଟ୍‌ର ଜମି କେଳେଙ୍କାରୀ ସମ୍ପର୍କରେ ଓଟିଭିରେ ଖବର ପ୍ରସାରଣ ପରେ କିଟ୍ କର୍ତ୍ତୃପକ୍ଷ କିଭଳି ପ୍ରତିହିଂସା ପରାୟଣ ହୋଇ ପଡିଛନ୍ତି, ତାହା ଆଜିର ଘଟଣାରୁ ସ୍ପଷ୍ଟ ହୋଇଛି।

ସୂଚନା ଅନୁସାରେ, କିଟ୍ କ୍ୟାମ୍ପସକୁ ଲାଗି ରାସ୍ତା କଡରେ ପଟିଆ ନୂଆବନ୍ତ ଗାଁ ଚନ୍ଦ୍ରଧ୍ୱଜ ସାହୁଙ୍କ ଜମି ଉପରେ ଜୋର ଜବରଦସ୍ତ କିଟ୍ ୯ ମହଲା କୋଠା ନିର୍ମାଣ କରୁଛି। ଏହାକୁ ଚନ୍ଦ୍ରଧ୍ୱଜ ବାରମ୍ବାର ବିରୋଧ କରୁଥିଲେ ବି ତାଙ୍କୁ ସବୁବେଳେ କିଟ୍ ନାଲିଆଖି ଦେଖାଇ ଆସୁଛି।

ଚନ୍ଦ୍ରଧ୍ୱଜଙ୍କ ନାଁରେ ଜମିର ଅସଲ କାଗଜପତ୍ର ରହିଛି ଓ ସେ ନିୟମିତ ଭାବେ ଜମିର ଖଜଣା ମଧ୍ୟ ପୈଠ କରୁଛନ୍ତି। କିଟ୍‌ର ଜବରଦଖଲ ବିରୁଦ୍ଧରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଚନ୍ଦ୍ରଧ୍ୱଜ। ୨୦୦୮ ମସିହାରେ ଉଚ୍ଚ ନ୍ୟାୟାଳୟ ଚନ୍ଦ୍ରଧ୍ୱଜଙ୍କୁ ବେଦଖଲ ନ କରିବା ପାଇଁ ରାୟ ଦେଇଥିଲେ।

ହାଇକେର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମାପଚୁପ ପରେ ଚନ୍ଦ୍ରଧ୍ୱଜ ଫେରିପାଇଥିଲେ ୧ ଏକର ୭୦ ଡେସିମିଲ ଜମି। ହେଲେ ପରେ ହାଇକୋର୍ଟଙ୍କ ରାୟକୁ ବେଖାତିର କରିଥିଲେ କିଟ୍ କର୍ତ୍ତୃପକ୍ଷ।  ଜୋର ଜବରଦସ୍ତ ସେ ଜମିକୁ ଜବରଦଖଲ କରି ତିଆରି କରି ଚାଲିଛନ୍ତି କୋଠା ଉପରେ କୋଠା।

ଆଜି ପୁନର୍ବାର ଗୁଣ୍ଡା ଲଗାଇ କିଟ୍ କାମ ଆରମ୍ଭ କରିଥିବାରୁ ଚନ୍ଦ୍ରଧ୍ୱଜ ସେଠାରେ ପହଞ୍ଚି ବିରୋଧ କରିଥିଲେ। ଉଭୟଙ୍କ ମଧ୍ୟରେ ବଚସା ସାଙ୍ଗକୁ ଉତ୍ତେଜନା ଦେଖା ଦେଇଥିଲା। ସେଠାରେ ପ୍ରଥମେ ପୋଲିସ ଓ ପରେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିଥିଲେ। ଘଟଣା ସମ୍ପର୍କରେ ଖବର ସଂଗ୍ରହ କରୁଥିବାବେଳେ ଓଟିଭି ଟିମ୍‌କୁ ବି ଆକ୍ରମଣ କରିବାକୁ ପଛାଇ ନ ଥିଲେ କିଟ୍ ଗୁଣ୍ଡା। ତେବେ ଏସମ୍ପର୍କରେ କିଟ୍‌ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ।

You might also like