ମାଟ୍ରିକ୍ ପରୀକ୍ଷାକୁ ଛାଡୁନି ପ୍ରଶ୍ନପତ୍ର ଭାଇରାଲ୍ ଭୁତ : ଆଜି ଖୋଦ୍ ବିଭାଗୀୟ ମନ୍ତ୍ରୀଙ୍କ ଜିଲ୍ଲାରୁ ଭାଇରାଲ୍ ହେଲା ସାଇନ୍ସ କୋଶ୍ଚିନ୍

ଭୁବନେଶ୍ୱର : ସାହିତ୍ୟ  ଇଂରାଜୀ  ଗଣିତ  ଆଉ ଏବେ ବିଜ୍ଞାନ। ଥମୁନି ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍। ଆଜି ଖୋଦ୍ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଜିଲ୍ଲା କେନ୍ଦୁଝର ଆନନ୍ଦପୁରର ଥାଳିଆମେଣ୍ଟା ଧନେଇ ବିଦ୍ୟାଳୟରୁ ବିଜ୍ଞାନ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ଚର୍ଚ୍ଚା ହେଉଛି।

ସକାଳ ୯ଟା ୩୦ ସମୟରେ ବିଜ୍ଞାନ ପ୍ରଶ୍ନପତ୍ର ହ୍ୱାଟସ୍ଆପ୍‌ରେ ଘୁରି ବୁଲିଥିଲା। ସେହିପରି ଢେଙ୍କାନାଳ କାମାକ୍ଷାନଗର ମଠକରଗୋଳା ଉଚ୍ଚ ବିଦ୍ୟାଳୟରୁ ବିଜ୍ଞାନର A ସେଟ୍ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଅଭିଯୋଗ ଆସିଛି। ପ୍ରଧାନଶିକ୍ଷକ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି।

ମାଟ୍ରିକ୍ ପରୀକ୍ଷା ପ୍ରଥମ ଦିନରୁ ହିଁ ଭାଇରାଲ ହେଉଛି ପ୍ରଶ୍ନପତ୍ର। ପରୀକ୍ଷା ଆରମ୍ଭ ହେବାର ମାତ୍ର କିଛି ସମୟ ପରେ ଆଳି ଅଞ୍ଚଳର ବିଭିନ୍ନ ମୋବାଇଲାରେ ଘୁରି ବୁଲିଲା ସାହିତ୍ୟ ପରୀକ୍ଷା ପ୍ରଶ୍ନପତ୍ର। ଦ୍ୱିତୀୟ ଦିନ ଇଂରାଜୀ ପ୍ରଶ୍ନପତ୍ର ମଧ୍ୟ ନୟାଗଡ଼ ଅଞ୍ଚଳରୁ ଭାଇରାଲ୍ ହୋଇଥିବା ନେଇ ଚର୍ଚ୍ଚା ହେଲା। ସେହିପରି ଗଣିତ ଓ ଆଜି ବିଜ୍ଞାନ ପ୍ରଶ୍ନପତ୍ର ପରୀକ୍ଷା ଚାଲିଥିବା ସମୟରେ ବିଭିନ୍ନ ସ୍ଥାନରେ ହ୍ୱାଟସ୍ ଆପ୍ ଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏପଟେ କିନ୍ତୁ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ପୁଣିଥରେ କହିଛନ୍ତି ଭାଇରାଲ୍ ଏକ ଗୁଜବ।

ପ୍ରଶ୍ନ ଉଠୁଛି ଏତେ ସବୁ ସଜାଗ ଓ ମାଧ୍ୟମିକ ଶିକ୍ଷା ପରିଷଦର ଗାଇଡଲାଇନ୍ ସତ୍ତ୍ୱେ ପ୍ରଶ୍ନପତ୍ର କିପରି ଭାଇରାଲ୍ ହେଉଛି। କ୍ରାଇମ୍ ବ୍ରାଞ୍ଚ ତଦନ୍ତ ହେଉଥିଲେ ବି କୌଣସି ଅଭିଯୁକ୍ତଙ୍କୁ ଏଯାଏ ଧରାଯାଇପାରିନି। ଏପଟେ ପ୍ରଶ୍ନପତ୍ର ଭାଇରାଲ୍ ନଥମିବା ସ୍କୁଲ୍ ଓ ଗଣଶିକ୍ଷା ବିଭାଗର ପାରିବାପଣିଆକୁ ପଦାରେ ପକାଇଛି।

You might also like