ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ବନ୍ଦ ଡାକରା

ନବରଙ୍ଗପୁର/ନୂଆପଡ଼ା/ଭବାନୀପାଟଣା: କିଛି ଦିନର ନିରବତା ପରେ ପୁଣି ସକ୍ରିୟ ଲାଲବାହିନୀ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମାଓ ଦମନ ନୀତିକୁ ବିରୋଧ କରି ଆଜି ମାଓବାଦୀଙ୍କ ପକ୍ଷରୁ ଓଡ଼ିଶା ଓ ଛତିଶଗଡ଼ ବନ୍ଦ ଡାକରା ଦିଆଯାଇଛି।

ଏନେଇ ନବରଙ୍ଗପୁର ଜିଲ୍ଳା ରାଇଘରରେ ମାଓବାଦୀ ପୋଷ୍ଟର ଲଗାଇଛନ୍ତି। ରାଇଘର ବ୍ଳକର ବିଭିନ୍ନ ଅଞ୍ଚଳରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ବନ୍ଦ ଡାକରାକୁ ସଫଳ କରାଇବା ପାଇଁ ମାଓବାଦୀ ପୋଷ୍ଟର ଜରିଆରେ ଆହ୍ୱାନ କରିଛନ୍ତି। ରାଇଘରଠୁ କୁନ୍ଦେଇ ସହର ମଧ୍ୟରେ ଏହି ପୋଷ୍ଟର ସବୁ ଲଗାଯାଇଛି। ଏହି ସମସ୍ତ ପୋଷ୍ଟରରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରାଯାଇଛି।

ସେହିପରି କନ୍ଧମାଳ ଜିଲ୍ଲାରେ ମାଓବାଦୀଙ୍କ ପକ୍ଷରୁ ମାଓ ପୋଷ୍ଟର ଲଗାଯାଇଛି। ଗତକାଲି ରାତିରୁ ଜିଲ୍ଳାରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି ମାଓବାଦୀ। ବଂଶଧାରା-ଘୁମୁସରା ନାଗାବଳୀ ଡିଭିଜନ୍ କମିଟି ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା ଉଲ୍ଳେଖ ରହିଛି। ବାଲିଗୁଡ଼ା-ଦାରିଙ୍ଗବାଡ଼ି ୫୯ ନମ୍ବର ଜାତୀୟ ରାଜପଥରେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି ମାଓବାଦୀ। ଏହାସହ ଫୁଲବାଣୀ-ଗୋଚ୍ଛାପଡ଼ା ରାସ୍ତା ନମରବାଲି ନିକଟରେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି ମାଓବାଦୀ। ଫଳରେ ଯାନାବହାନ ଚଳାଚଳରେ ବ୍ୟାପକ ବାଧା ଉପୁଜିଛି।

ନୂଆପଡ଼ା ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ମାଓ ପୋଷ୍ଟର। ଧଗମବନ୍ଧା ଥାନା ଅଞ୍ଚଳରେ ଲାଲ ବାହିନୀ ପକ୍ଷରୁ ଗଛ କଟା ଯାଇ ରାସ୍ତା ଅବରୋଧ କରାଯାଇଛି।

You might also like