ସୋହେଲଙ୍କୁ ଅପହରଣ! ରାଜଧାନୀରେ ଲାଗିଲା ମାଓବାଦୀଙ୍କ ନାଁରେ ପୋଷ୍ଟର
ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ କାଶ୍ମୀର ଛାତ୍ର ସୋହେଲ ଅଜାଜ୍ ନିଖୋଜ ହେବା ଘଟଣା ଏକ ନୂଆ ମୋଡ଼ ନେଇଛି। ସୋହେଲଙ୍କୁ ମାଓବାଦୀ ଅପହରଣ କରିଥିବା ନେଇ ବରମୁଣ୍ଡା ବସଷ୍ଟାଣ୍ଡରେ ଏକ ସନ୍ଦିଗ୍ଧ ପୋଷ୍ଟର ଲଗାଯାଇଛି।
ବରମୁଣ୍ଡା ବସଷ୍ଟାଣ୍ଡ ଓଭରବ୍ରିଜ୍ କାନ୍ଥରେ ସିପିଆଇ ମାଓବାଦୀ ନାଁରେ ଲାଗିଥିବା ଏହି ପୋଷ୍ଟରରେ ସୋହେଲଙ୍କୁ ଅପହରଣ କରାଯାଇଥିବା ଉଲ୍ଲେଖ ଥିବା ବେଳେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଛାଡ଼ିଲେ ସୋହେଲଙ୍କୁ ଛଡ଼ାଯିବ ବୋଲି ଲେଖାଯାଇଛି।
କମିଶନରେଟ ପୋଲିସ ପୋଷ୍ଟରକୁ ଜବତ କରି ଛାନଭିନ୍ କରୁଛି। ପୋଷ୍ଟର ତଳେ ସିପିଆଇ ମାଓବାଦୀ ଲେଖାଯାଇଥିଲେ ମଧ୍ୟ ତାହାକୁ ମାଓବାଦୀ ଲଗାଇଛନ୍ତି ବା ଅନ୍ୟ କେହି ଲଗାଇଛି ତାହା ସ୍ପଷ୍ଟ ହୋଇନାହିଁ।
ପୋଷ୍ଟର ସଂପର୍କରେ ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ମିଲି ପଣ୍ଡା କହିଛନ୍ତି, ‘ଫାଲତୁ କଥା, ବଦମାସୀ କରିବାକୁ କେହି ପୋଷ୍ଟର ଲଗାଇଛି। ସୋହେଲଙ୍କ ବିଷୟରେ ଓଡ଼ିଶା ସହ ୩ଟି ରାଜ୍ୟ ତଦନ୍ତ କରୁଛି। ସବ୍ୟସାଚୀଙ୍କ ନାଁ ଲେଖି ପୋଲିସକୁ ବାଟବଣା କରିବାକୁ ଚେଷ୍ଟା କରୁଛି’।
ସେ ଆହୁରି କହିଛନ୍ତି,-ସବ୍ୟସାଚୀଙ୍କୁ ଆତଙ୍କବାଦୀ ସଂଗଠନ ସହ ଯୋଡ଼ିବାକୁ ଚେଷ୍ଟା କରାଯାଉଛି। ପୋଲିସ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଅଭିଯୁକ୍ତକୁ ଧରୁ।
ଅନ୍ୟପକ୍ଷରେ ଭୁବନେଶ୍ୱର ଡିସିପି କହିଛନ୍ତି,- ଭୁବନେଶ୍ୱର ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ହାତଲେଖା ପୋଷ୍ଟର ମିଳିଛି। ଘଟଣାର ଅନୁଧ୍ୟାନ କରୁଛୁ।
ସୂଚନାଥାଉ କି, ଜାମ୍ମୁ ଓ କାଶ୍ମୀର କୁପୱାଡ଼ା ଜିଲ୍ଲାର ସୋହେଲ୍ ଅଜାଜ୍ ଫେବ୍ରୁଆରୀ ୯ ତାରିଖରୁ ପରଠୁ ତାଙ୍କ ପରିବାର କିମ୍ବା ସାଙ୍ଗସାଥିଙ୍କ ସହ କୌଣସି ଯୋଗାଯୋଗ କରି ନ ଥିବା ଥାନାରେ ଅଭିଯୋଗ ହେଇଥିଲା।