ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ; ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ବସ୍‌ ଚଳାଚଳ ବନ୍ଦ

ମାଲକାନଗିରି: ଆଜିଠୁ ସପ୍ତାହେ ବ୍ୟାପୀ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀ ପାଳୁଛନ୍ତି ସହିଦ ସପ୍ତାହ। କୌଣସି ଅଘଟଣ ଆଶଙ୍କାରେ ମାଲକାନଗିରି ଜିଲ୍ଲାରେ ସରକାରୀ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି।

ସହିଦ ସପ୍ତାହରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଇବା ଆଶଙ୍କା ଥିବାରୁ ମାଲକାନଗିରି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।  ମାଲକାନଗିରି ଜିଲ୍ଲା ମାଓ ପ୍ରବଣ ଅଞ୍ଚଳରେ ଏସ୍‌ଓଜି, ବିଏସ୍ଏଫ୍, ଡିଭିଏଫ୍ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି।

ସୁରକ୍ଷାକର୍ମୀଙ୍କୁ ଆଲର୍ଟ କରାଯିବା ସହ ଅନାବଶ୍ୟକ ଗତିବିଧିକୁ  ଚେକ୍‌ କରିବାପାଇଁ ଆଡଭାଇଜରି ଜାରି କରାଯାଇଛି ବୋଲି ମାଲକାନଗିରି ଏସ୍‌ପି ଜଗମୋହନ ମୀନା କହିଛନ୍ତି।

ସେପଟେ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ମାଓବାଦୀଙ୍କ ସହିଦ ସପ୍ତାହ ଦେଖିବାକୁ ମିଳିଛି। ସେହିପରି ଚିତ୍ରକୋଣ୍ଡା ବିଚ୍ଚିନ୍ନାଞ୍ଚଳରେ ବି ଲାଗିଛି ମାଓ ପୋଷ୍ଟର। ଆଗାମୀ ଦିନରେ ମାଓ ସଂଗଠନକୁ ସୁଦୃଢ କରିବା ନେଇ ଏଥିରେ ଉଲ୍ଲେଖ ରହିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପୋଷ୍ଟର ଜବତ କରିବା ସହ ତଦନ୍ତ ଜାରି ରଖିଛି।

You might also like