ମୋଦିଙ୍କୁ କେମିକାଲ୍ ଆଟାକ୍ ଧମକ
ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେମିକାଲ୍ ଆଟାକ୍ ନେଇ ଧମକପୂର୍ଣ୍ଣ ଫୋନ୍ କଲ୍। ଏହି ଘଟଣାରେ ପୁଲିସ୍ ମୁମ୍ବାଇରୁ ଜଣେ ୨୨ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ତାଙ୍କ ନାଁ କାଶୀନାଥ ମଣ୍ଡଲ୍।
ସୂଚନା ଅନୁସାରେ, କାଶୀନାଥ ନିଜକୁ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନ୍ଏସ୍ଜି) କହି କଣ୍ଟ୍ରୋଲ୍ ରୁମ୍କୁ ଫୋନ୍ କରି ପ୍ରଧାନମନ୍ତ୍ରୀଙ୍କ ଉପରକୁ କେମିକାଲ୍ ଆଟାକ୍ ଧମକ ଦେଇଥିଲେ। ଶୁକ୍ରବାର ଦିଲ୍ଲୀ ସ୍ଥିତ ଏନ୍ଏସ୍ଜି କଣ୍ଟ୍ରୋଲ ରୁମ୍ରୁ ସେ ନମ୍ବର ନେଇ ଫୋନ୍ କରିଥିଲେ।
ଏହି ଘଟଣା ଜଣାପଡ଼ିବା ପରେ ତତ୍କ୍ଷଣାତ ଏନ୍ଏସ୍ଜି ନମ୍ବର ଟ୍ରାକ୍ କରି ମୁମ୍ବାଇ ପୁଲିସ୍କୁ ସୂଚନା ଦେଇଥିଲେ। ସୂଚନା ପାଇ ସୁରଟ ଅଭିମୁଖେ ଯାଉଥିବା ମୁମ୍ବାଇ ସେଣ୍ଟ୍ରାଲ ରେଲୱେ ଷ୍ଟେସନରୁ ପୁଲିସ୍ ମଣ୍ଡଲଙ୍କୁ ଗିରଫ କରିଥିଲେ।
ପୁଲିସ୍ର ପଚରାଉଚୁରାରୁ ଜଣାପଡ଼ିଛି ଯେ, ଝାଡ଼ଖଣ୍ଡରେ ରହୁଥିବା ମଣ୍ଡଲ ଏକ ନକ୍ସଲ ଆକ୍ରମଣରେ ତାଙ୍କର ଜଣେ ବନ୍ଧୁଙ୍କୁ ହରାଇଥିଲେ। ଏହି ଘଟଣାକୁ ନେଇ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ଚାହୁଁଥିଲେ।