ବନ୍ଧୁ ହେଲା ବଇରୀ: ଉଦ୍ଧାର ଟଙ୍କା ମାଗିବାରୁ ଏମିତି ନିର୍ମମ ଭାବେ ହତ୍ୟା କଲେ
ନୂଆଦିଲ୍ଲୀ: ଟଙ୍କା ପାଇଁ ମଣିଷ କିଭଳି ସମ୍ପର୍କ ଭୁଲି ଯାଇ ତଳକୁ ଖସି ଯାଏ ତାହାର ଏକ ଜ୍ୱଳନ୍ତ ଉଦାହରଣ ଦିଲ୍ଲୀର କଲ୍ୟାଣପୁରୀରେ ଦେଖିବାକୁ ମିଳିଛି। ୫୦୦ ଶହ ଟଙ୍କାଙ୍କୁ ନେଇ ଜଣେ ୨୪ ବର୍ଷର ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମଙ୍ଗଳବାର ରାତିରେ ଏହି ଜଘନ୍ୟ କାଣ୍ଡ ଘଟିଛି। ମୃତକ ହେଉଛନ୍ତି ଦିଲ୍ଲୀ କଲ୍ୟାଣପୁରୀର ଶାହାରୁଖ୍।
ସୂଚନା ଅନୁସାରେ, ଶାହାରୁଖ୍ ତାଙ୍କ ବନ୍ଧୁ ମୁକେଶ (୩୦)ର ପତ୍ନୀଙ୍କୁ ମାସକ ତଳେ ୫ଶହ ଟଙ୍କା ଧାର୍ ସୂତ୍ରରେ ଦେଇଥିଲେ। ଏହି ଟଙ୍କା ମାଗିବାକୁ ଶାହାରୁଖ ମଙ୍ଗଳବାର ସନ୍ଧ୍ୟାରେ ମୁକେଶ୍ର ଘରକୁ ଯାଇଥିଲେ। ତେବେ ସେତେବଳେ ମୁକେଶ୍ ଘରେ ନଥିଲା। ରାତିରେ ଘରକୁ ଫେରିବା ପରେ ପତ୍ନୀଙ୍କ ଠାରୁ ଶାହାରୁଖ୍ ଟଙ୍କା ମାଗିବାକୁ ଆସିଥିବା ଜାଣିବା ପରେ ଖୁବ୍ ରାଗି ଯାଇଥିଲା। ନିଜର ସହଯୋଗୀ ଖଲିଦ୍ (୨୦) ଓ ଅନ୍ୟଜଣେ ନାବାଳକ ସହ ମିଶି ମୁକେଶ୍ ଶାହାରୁଖ୍କୁ ଖୋଜିବା ପାଇଁ ଘରୁ ବାହାରି ଯାଇଥିଲା।
ମୁକେଶ୍ ଏତେ ରାଗି ଯାଇଥିଲା ଯେ ଶାହାରୁଖ୍ଙ୍କୁ ପାଇବା ମାତ୍ରେ ଛୁରିରେ ଆକ୍ରମଣ କରିଥିଲା। ୩ଜଣ ମିଶି ଅତି ନିର୍ମମ ଭାବେ ୧୨ଥର ଶାହାରୁଖଙ୍କ ଛାତି, ବେକ ଓ ତଳିପେଟକୁ ଆକ୍ରମଣ କରିଥିଲେ। ଆକ୍ରମଣକାରୀଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡ଼ିଛି। ପୁଲିସ୍ ୨ଜଣଙ୍କୁ ଗିରଫ କରିବା ସହ ନାବାଳକ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି।
ପୁଲିସ୍ର କହିବା ଅନୁସାରେ, ଗଣ୍ଡଗୋଳ ଓ ଡକାୟତି ମାମଲାରେ ମୁକେଶ ପୂର୍ବରୁ ମଧ୍ୟ ଗିରଫ ହୋଇଥିଲା।