ଜାଲ୍ ସାର୍ଟିଫିକେଟରେ ୨୨ବର୍ଷ ଧରି ଚାକିରୀ 

କଟକ  : କଟକ ଟାଙ୍ଗି ପିଏଚ୍‌ସିରେ କାର୍ଯ୍ୟରତ ହେଲ୍‌ଥ ସୁପରଭାଇଜର ଅଶୋକ ମହାନ୍ତି।  ବାବୁ ଦୀର୍ଘ ୨୨ ବର୍ଷ ଧରି କଟକ ସିଡିଏମ୍ଓ ଅଫିସ ଅଣ୍ଡରରେ କାର୍ଯ୍ୟ କରୁଛନ୍ତି। ଏହାରି ଭିତରେ ତାଙ୍କୁ ପ୍ରମୋସନ ମଧ୍ୟ ମିଳିଛି। ତେବେ ସିଏମ୍‌ସି ସାନିଟାରୀ ଇନ୍‌ସ୍‌ପେକ୍ଟର ଭାବେ କାର୍ଯ୍ୟ କରିବା ସମୟରେ ଅଶୋକଙ୍କ ବିରୋଧରେ ଆସିଥିଲା ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରିବାର ଅଭିଯୋଗ।

ଘଟଣା ନେଇ ସତ୍ୟତା ଜାଣିବା ପାଇଁ ଓଟିଭିରେ  ଖବର ମଧ୍ୟ ପ୍ରସାରଣ ହୋଇଥିଲା। ତେବେ ଏହାରି ଭିତରେ ଅଶୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କଣ ତାଙ୍କୁ ବଦଳି କରି ହାତ ଟେକିଦେଇଛନ୍ତି ସିଏମ୍‌ସି ସ୍ୱାସ୍ଥ୍ୟ ଅଧିକାରୀ।  ତାଙ୍କ କହିବା କଥା ହେଲା ଯେହେତୁ ସେ ଡେପୁଟେସନରେ ସିଏମ୍‌ସିକୁ ଆସିଥିଲେ। ତେଣୁ ତାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ସିଡିଏମ୍ଓଙ୍କୁ ପଚରାଗଲା  ଏବଂ ପରେ ତାଙ୍କୁ ନିଜ ଡିପାର୍ଟମେଣ୍ଟକୁ ବଦଳି କରାଗଲା।

ସେପଟେ ଅଭିଯୋଗ ନେଇ ଆମେ କଟକ ସିଡିଏମ୍ଓଙ୍କୁ ପଚାରିଥିଲୁ । ହେଲେ ସେ କିନ୍ତୁ ସବୁ ଜାଣିଶୁଣି ଚୁପ୍। ସିଡିଏମ୍ଓଙ୍କ କହିବା କଥା ଯେ ପର୍ଯ୍ୟନ୍ତ ଅଶୋକଙ୍କ ବିରୋଧରେ ତଦନ୍ତ ନେଇ କୌଣସି ଲିଖିତ ନିର୍ଦ୍ଦେଶ ଆସିନି ସେପର୍ଯ୍ୟନ୍ତ ତଦନ୍ତ ଅସମ୍ଭବ।

ତେବେ ଏଠି ପ୍ରଶ୍ନ ଉଠୁଛି ପୁରା ତଥ୍ୟ ପ୍ରମାଣ ସହ ଖବର ପ୍ରସାରଣ ପରେ ମଧ୍ୟ ଆଉ କି ତଥ୍ୟ ଆବଶ୍ୟକ। ସିଡିଏମ୍ଓଙ୍କୁ ଯଦି ଅଶୋକଙ୍କ ବିରୋଧରେ କୌଣସି ଅଭିଯୋଗ ନାହିଁ ତାହାହେଲେ ତାଙ୍କୁ ସିଏମ୍‌ସିରୁ ହଠାତ ବଦଳି କରାଗଲା କାହିଁକି ? ବଦଳି ନେଇ ସିଏମ୍‌ସି ସ୍ୱାସ୍ଥ୍ୟ ଅଧିକାରୀ ପଚାରିବା ପରେ ସିଡିଏମ୍ ରାଜି ହେଲେ କାହିଁକି ?

You might also like