ରାସ୍ତା ଉପରୁ ଟାଣି ନେଇ ଜୀବନ୍ତ ମାରିଦେଲା ଭାଲୁ

ନବରଙ୍ଗପୁର: ଭାଲୁର ଭୟଙ୍କର ରୂପ। ରାସ୍ତା ଉପରୁ ଟାଣି ନେଇ ଜୀବନ୍ତ ମାରିଦେଲା ମଣିଷକୁ। ଘଟଣା ଘଟିଛି ନବରଙ୍ଗପୁର କୋଡ଼ିଙ୍ଗା ପଞ୍ଚାୟତ ଫାର୍ସାଗୁଡ଼ା ନିକଟରେ।

ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଭାଲୁ ଆକ୍ରମଣରେ ଶିକାର ଏହି ବ୍ୟକ୍ତି ଜଣକ ହେଉଛନ୍ତି ପାପଡ଼ାହାଣ୍ଡି ଦଳେଇଗୁଡ଼ାର ପ୍ରଭୁ ଭତ୍ରାଅ। ସେ ଜଣେ ଡ୍ରାଇଭର। ଛତିଶଗଡ଼କୁ ଭଡ଼ାରେ ଯାଇ ଗତକାଲି  ଅପରାହ୍ନରେ ଏକୁଟିଆ ସେ ଫେରୁଥିଲେ। ତେବେ ଫାର୍ସାଗୁଡ଼ା ଗାଁ ନିକଟ ରାସ୍ତା କଡ଼ରେ ଗାଡ଼ି ରଖି ପରିସ୍ରା କରୁଥିବାବେଳେ ଭାଲୁଟି ଆସି ତାଙ୍କୁ ଟାଣିନେଇ ଏଭଳି ଭାବେ ଆକ୍ରମଣ କରିଥିଲା।

ସଂପୃକ୍ତ ବ୍ୟକ୍ତି ଜଣକ ମଧ୍ୟ ଭାଲୁ ମୁହଁରୁ ବର୍ତ୍ତିବା ପାଇଁ ଅନେକ ଉଦ୍ୟମ ବି କରିଥିଲେ ମଧ୍ୟ ଭାଲୁଟି ନଛୋଡ଼ବନ୍ଧା। ଫଳରେ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଲଢ଼େଇ ଜାରି ରହିଥିଲା। ଶେଷରେ ଭାଲୁଟିର ଏଭଳି ମରଣାନ୍ତକ ଆକ୍ରମଣରେ ଏହି ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ନବରଙ୍ଗପୁର ରେଞ୍ଜ ବନ ବିଭାଗ ପକ୍ଷରୁ ସଂପୃକ୍ତ ବ୍ୟକ୍ତିଙ୍କର ମୃତଦେହକୁ ଉଦ୍ଧାର କରାଯାଇଥିଲା। ମୃତଦେହ ନିକଟରେ ଭାଲୁଟି ଦୀର୍ଘ ସମୟ ଧରି ଜଗିରହିଥିବାରୁ ପ୍ରଥମେ ଭାଲୁକୁ ଟ୍ରାଂକୁଲାଇଜ ଦିଆଯାଇଥିଲା। ପରେ ସଂପୃକ୍ତ ବ୍ୟକ୍ତିଙ୍କର ମୃତଦେହକୁ ଉଦ୍ଧାର କରାଯାଇଥିଲା। ବନବିଭାଗ ପକ୍ଷରୁ ଶବ ସତ୍କାର ପାଇଁ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଛି।

ସେପଟେ ଏହି ଘଟଣା ପରେ କ୍ଷତିପୂରଣ ଦାବି କରି କୁଜାଗୁଡ଼ା ଗାଁ ଲୋକେ ଏବଂ ପରିବାର ଲୋକେ ରାସ୍ତାରୋକ କରିଥିଲେ। ରାସ୍ତାରୋକ ଯୋଗୁ ଦୀର୍ଘ ସମୟ ଧରି ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା। ତେବେ ବନବିଭାଗ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ୧୫ ଦିନ ଭିତରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା। ଅନ୍ୟପକ୍ଷରେ ଏନେଇ ଜଙ୍ଗଲ ବିଭାଗର କୌଣସି ପ୍ରତିକ୍ରିୟା ମିଳିପାରିନି।

You might also like