ଥାନାରୁ ଚମ୍ପଟ୍ ମାରି ଆତ୍ମହତ୍ୟା କଲା ଅଭିଯୁକ୍ତ!
ପାଟକୁରା: ଥାନାରୁ ଚମ୍ପଟ୍ ମାରି ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିଥିବା କୁହାଯାଉଛି। ତାଙ୍କ ନାଁ ଅବିନାଶ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁସାରେ, ଗତକାଲି ଦିନ ପ୍ରାୟ ୧୧ଟା ବେଳେ ପୁଲିସ୍ ମୋବାଇଲ୍ ଚୋରି ଅଭିଯୋଗରେ ମାର୍ଶାଘାଇ ଅଞ୍ଚଳର ଅବିନାଶ ନାମକ ଜଣେ ଯୁବକଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ରାତି ପ୍ରାୟ ୧୦ଟା ବେଳେ ସେ ଶୌଚ ଯିବାକୁ କହି ଖସି ପଳାଇ ଯାଇଥିଲେ। ପୁଲିସ୍ ତାଙ୍କୁ ଧରିବା ପାଇଁ ବହୁତ ଖୋଜାଖୋଜି କରିଥିଲା। ହେଲେ ପାଇ ନଥିଲା।
ପରେ ପୁଲିସ୍ ଖବର ପାଇ ଥାନା ନିକଟରେ ଥିବା ଜଣଙ୍କ ସିଡ଼ି ଘରୁ ଅଭିଯୁକ୍ତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାର ପ୍ରତିବାଦରେ ବାଲଣା ଛକରେ ଲୋକେ ଟାୟାର ଜାଳି ପ୍ରତିବାଦ କରିଛନ୍ତି।
ଅବିନାଶଙ୍କ ଘର ଲୋକେ ଅଭିଯୋଗ କରିଛନ୍ତି ଯେ ପୁଲିସ୍ ତାଙ୍କୁ ମାରି ଦେଇଛି। ତେବେ ଏନେଇ ପୁଲିସ୍ ଠାରୁ କିଛି ପ୍ରତିକ୍ରିୟା ମିଳିପାରି ନାହିଁ।