ନିଆରା ପ୍ରେମ: ବଞ୍ଚି ଥାଇ ପତ୍ନୀଙ୍କ ସମାଧି ନିକଟରେ ତିଆରି କରିଛନ୍ତି ପ୍ରତିମୂର୍ତ୍ତି

ବ୍ରହ୍ମପୁର: ଆଜିର ଦୁନିଆରେ ପ୍ରେମ କହିଲେ ଲୋକେ ଯୁବପିଢ଼ିଙ୍କ କଥା ଭାବନ୍ତି ଏବଂ ଏହାକୁ ଅଢ଼େଇ ଦିନିଆ ବୋଲି କହନ୍ତି। ହେଲେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍ ନନ୍ଦିଆଗଡ଼ାର ନରସିଂହ ଦଳେଇଙ୍କ ପ୍ରେମ ଏଦିଗରେ ବ୍ୟତିକ୍ରମ।

ପ୍ରେମ ଓ ପ୍ରତିଶ୍ରୁତି ମୃତ୍ୟୁ ଭିତରେ ଜୀବନକୁ ଖୋଜୁଥିବା ଏଇ ମଣିଷଟି ପାଇଁ ଏବେ ଏ ଦୁଇଟି ହିଁ ସମ୍ବଳ।  ସେ ନିର୍ଜୀବତା ଭିତରେ ଖୋଜୁଛନ୍ତି ସଜୀବତାକୁ। ପୁଣି ସଜୀବତା ଭିତରେ ଭବିଷ୍ୟତର ନିର୍ଜୀବତାକୁ।

ସ୍ୱର୍ଗତ ପତ୍ନୀଙ୍କୁ ଦେଇଥିବା କଥା ରଖିବାକୁ ଯାଇ ତାଙ୍କ ସମାଧି ପାଖରେ ସେ ଜିଇଁ ଥାଉଥାଉ ତିଆରି କରିଛନ୍ତି ନିଜର ପ୍ରତିମୂର୍ତ୍ତି। ନରସିଂହଙ୍କ ପ୍ରେମ ଏଇ ସ୍ୱାର୍ଥପର ଦୁନିଆରେ ସତରେ ନିଆରା।

ଆଜିକୁ ୮ ବର୍ଷ ତଳେ ନରସିଂହଙ୍କୁ ପର କରି ଆରପାରି ଚାଲିଯାଇଛନ୍ତି ପତ୍ନୀ ସୁମତି। ହେଲେ ନରସିଂହ ପର କରିପାରିନାହାନ୍ତି ନିଜ ପ୍ରିୟତମାଙ୍କୁ।  ଘରେ ୨ପୁଅ, ବୋହୂ ଓ ଝିଅ ଥିଲେ ବି ସେ ଭୁଲିପାରୁ ନାହାନ୍ତି ପତ୍ନୀଙ୍କ ସ୍ମୃତି।  ସବୁଦିନ ସମାଧି ପାଖକୁ ଯାଇ ପତ୍ନୀଙ୍କୁ ସ୍ନାନ କରାନ୍ତି, ଫୁଲମାଳ ପିନ୍ଧାନ୍ତି ଆଉ ସୁଖଦୁଃଖ ବି ହୁଅନ୍ତି।

You might also like