ହେ ଭଗବାନ ! ବିନା ଦୋଷରେ ଜେଲରେ ୨୫ ବର୍ଷ

ଭାଗ୍ୟ ଖରାପ ଥିଲେ ମିଳେ ଏମିତି ଦଣ୍ଡ

ଫିଲାଡେଲଫିଆ: ବର୍ଷେ କି ଦୁଇ ବର୍ଷ ନୁହେଁ, ପୂରା ୨୫ ବର୍ଷ ଜେଲରେ ବିତାଇବା ପରେ ଜଣା ପଡିଲା ଯେ ସେ ନିର୍ଦ୍ଦୋଷ, ପ୍ରକୃତ ଦୋଷୀ ଆଉ କିଏ । ଆମେରିକାର ଏକ କୋର୍ଟ ଜଣେ ବ୍ୟକ୍ତି ଙ୍କୁ୧୯୯୧ରେ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ ଶୁଣାଇଥିଲେ। ଡିଏନ୍ଏ  ଟେଷ୍ଟ ପରେ ସେ ନିର୍ଦ୍ଦୋଷରେ ଜେଲରୁ ମୁକୁଳିଛନ୍ତି । ଆଉ ଅନ୍ୟାୟ ପାଇଁ ଲଢ଼େଇ କରି ସେ ଜିତିଛନ୍ତି ।  ତାଙ୍କୁ ୯.୮୫ ମିଲିୟନ୍ ଆମେରିକୀୟ ଡଲାର କ୍ଷତିପୂରଣ ମିଳିବ ।

ଘଟଣାଟି ଏମିତି

ଫିଲାଡେଲଫିଆର ଆନ୍ଥୋନି ରାଇଟ୍ ନାମକ ଯୁବକ ୧୯୯୧ ମସିହାରେ ୭୭ ବୟସର ଜଣେ ବୃଦ୍ଧା ଲୁଇସ ଟାଲିଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଜେଲ ଯାଇଥିଲେ ।  ଲୁଇସଙ୍କୁ ଧର୍ଷଣ ପରେ ଏତେ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା ଯେ ରାଇଟଙ୍କୁ କୋର୍ଟ ପାରୋଲ ଦେଇ ନ ଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା ହେଉଛି ଯେଉଁ ଅଭିଯୋଗରେ ରାଇଟ୍ ଜେଲ ଗଲେ ସେ ସେହି ଘଟଣା ସହ ଜଡ଼ିତ ନ ଥିଲେ ।  ୨୫ ବର୍ଷ ଜେଲ ବିନା ଦୋଷରେ ଜେଲ ଭୋଗିବା ପରେ ଇନୋସେନ୍ସ ପ୍ରୋଜେକ୍ଟ ନାମକ ସଂସ୍ଥା ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲା । ଲୁଇସ୍ ହତ୍ୟା ଘଟଣାର ଆଉ ଥରେ ଶୁଣାଣି କରିବାକୁ ୨୦୧୪ରେ କୋର୍ଟ ରାଜି ହୋଇଥିଲେ। ଇନୋସେନ୍ସ ପ୍ରୋଜେକ୍ଟ ପକ୍ଷରୁ ରାଇଟଙ୍କ ପାଇଁ ଓକିଲ ଯୋଗାଇ ଦିଆଯାଇଥିଲା ।  ଡିଏନ୍‌ଏ ଟେଷ୍ଟ ରିପୋର୍ଟରୁ ଜଣାପଡ଼ିଥିଲା ଯେ ରାଇଟ୍ ଅପରାଧୀ ନୁହଁନ୍ତି । ଏହି ଘଟଣାର ପ୍ରକୃତ ଅଭିଯୁକ୍ତ ହେଉଛନ୍ତି ଏକାଧିକ ଅପରାଧରେ ଅଭିଯୁକ୍ତ ରୋନି ବାଏର୍ଡ ଯିଏ କି ଏହି ମାମଲାରେ ଦଣ୍ଡ ଭୋଗିବା ପୂର୍ବରୁ ଜେଲରେ ମରିସାରିଥିଲେ । ଦୁଇ ଦୁଇ ଥର ଟ୍ରାଏଲ ପରେ ଶେଷରେ ୨୦୧୬ରେ ରାଇଟ୍‌ଙ୍କୁ ଦୋଷମୁକ୍ତ ଘୋଷଣା କରାଯାଇଥିଲା ।AnthonyWright

ଭାବ ବିହ୍ୱଳ ହୋଇ ରାଇଟ୍ କହିଥିଲେ ‘ଈଶ୍ୱର ଏମିତି ଦଣ୍ଡ ଆଉ କାହାକୁ ନ ଦିଅନ୍ତୁ । କେବେ ବି ୨୫ ବର୍ଷ ଫେରିଆସିବ ନାହିଁ, ଝୁରି ଝୁରି ମରିଯାଇଥିବା ମାକୁ ଫେରିପାଇବି ନାହିଁ, ୨୫ ବର୍ଷ ଭିତରେ ବଡ଼ ହୋଇଯାଇଥବା ପୁଅର ପିଲାଦିନକୁ ଫେରିପାଇବି ନାହିଁ ।’

ବିନା ଦୋଷରେ ଜେଲ ଦଣ୍ତ ଭୋଗିଥିବାରୁ ସେ କ୍ଷତିପୂରଣ ପାଇଁ ଆଇନର ଆଶ୍ରୟ ନେଇଥିଲେ । ଗତ ବୁଧବାର ତାଙ୍କୁ ଏ ବାବଦ ୯.୮୫ ମିଲିୟନ୍ ଆମେରିକୀୟ ଡଲାର କ୍ଷତିପୂରଣ ମିଳିବ ବୋଲି ଜଣାପଡ଼ିଛି।  ଲୁଇସ୍ ହତ୍ୟା ଘଟଣାରେ ଯେଉଁ ପୋଲିସ ଅଧିକାରୀମାନେ ତାଙ୍କୁ ଜେଲ ପଠାଇଥିଲେ ସେମାନଙ୍କୁ ମଧ୍ୟ କାଠଗଡ଼ାକୁ ଟାଣିଥିଲେ ରାଇଟ୍ ।

 

You might also like