ବିଚ୍ଛିନ୍ନାଞ୍ଚଳରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା: ଏଠି କ୍ୱାକ୍‌ଙ୍କ ହାତରେ ଜୀବନ

ମାଲକାନଗିରି: କ୍ୱାକ୍‌ଙ୍କ ହାତରେ ଜୀବନ। ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ହଜାର ହଜାର ଲୋକଙ୍କ ଭରସା ପାଲଟିଛନ୍ତି ନକଲିଡାକ୍ତର ବା କ୍ୱାକ୍। ଏଠାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଥିଲେ ବି ଡାକ୍ତର ନାହାନ୍ତି। ଯାହାର ଫାଇଦା ନେଉଛନ୍ତି କ୍ୱାକ୍। ଆଉ ଉପଯୁକ୍ତ ଚିକିତ୍ସା ଅଭାରୁ ଅକାଳରେ ଯାଉଛି ଅନେକ ଅମୂଲ୍ୟ ଜୀବନ। ପଢ଼ନ୍ତୁ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରୁ ଓଟିଭିର ବିଶେଷ ରିପୋର୍ଟ।

ରାଜ୍ୟରେ ସ୍ୱାସ୍ଥ୍ୟସେବାର ସ୍ଥିତି କ’ଣ ମାଲକାନଗିରି ଚିତ୍ରକୋଣ୍ଡା ଦୃଶ୍ୟ ଦେଖିଲେ ତାହା ସ୍ପଷ୍ଟ ଜାଣିହେବ। ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ୯ଟି ପଞ୍ଚାୟତ ଅଧିନରେ ୧୫୧ଟି ଗାଁ ରହିଛି। ଏଠାକାର ୩୦ ହାଜରରୁ ଅଧିକ ଲୋକଙ୍କ ପାଇଁ ଜାନବାଇରେ ରହିଛି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର। କିନ୍ତୁ ଏଠି ଏମ୍ବିବିଏସ ବଦଳରେ ଅଛନ୍ତି ଜଣେ ଆୟୂଷ ଡାକ୍ତର। ତେଣୁ ରୋଗବ୍ୟାଧି ହେଲେ ଲୋକେ ଆୟୂଷ ଡାକ୍ତରଙ୍କ ପରିବର୍ତ୍ତେ କ୍ୱାକ୍‌ଙ୍କ ପାଖକୁ ଯିବାକୁ ବେଶୀ ପସନ୍ଦ କରୁଛନ୍ତି। ଆଉ କ୍ୱାକ୍‌ଙ୍କ ଚିକିତ୍ସା ପଦ୍ଧତି ଏମିତି ଯେ, ଆପଣ ଦେଖିଲେ ଡରିଯିବେ।

ଏଠାରେ ଶାଗ, ପନିପରିବା ଓ ଶୁଖୁଆ ସହ ହାଟରେ ମେଲିଛି ଔଷଧର ପସରା। କ୍ୱାକ୍ ଯେଉଁ ଔଷଧ ଲେଖନ୍ତି, ରୋଗୀ ଏଇ ହାଟକୁ ଆସି ଔଷଧ ନିଅନ୍ତି। ତେବେ ଅନେକ ସମୟରେ କ୍ୱାକ୍ ଓ ଔଷଧ ବେପାରୀ ସେମାନଙ୍କୁ ଶୋଷଣ କରୁଥିବା ବିଚ୍ଛିନ୍ନାଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଏ ବିଚିତ୍ର ସ୍ଥିତି ସଂପର୍କରେ ମତାମତ ନେବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ କ୍ୟାମେରା ଆଗରେ କିଛି କହିବାକୁ ମନା କରିଥିଲେ ସିଡିଏମ୍। କିନ୍ତୁ ବିନା କ୍ୟାମେରାରେ ସଫେଇ ଦେଇ କହିଥିଲେ, ଜିଲ୍ଲାରେ କ୍ୱାକ୍ ନାହାନ୍ତି। ଅନ୍ୟପକ୍ଷରେ ଏ ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି ତହସିଲଦାର କହିଛନ୍ତି।

 

You might also like