ଏଡିଏମ୍‌ଙ୍କୁ ମିଳିଲାନି ସରକାରୀ ଗାଡ଼ି; ଚାଲି ଚାଲି ଗଲେ ଅଫିସ୍‌

ମାଲକାନଗିରି: ଅତିରିକ୍ତ ଜିଲ୍ଲାପାଳଙ୍କୁ ମିଳିଲାନି ସରକାରୀ ଗାଡ଼ି। ସରକାରୀ ଗାଡ଼ି ଖରାପ କାରଣରୁ ଦେଢ଼ କିଲୋମିଟର ରାସ୍ତା ପାଦରେ ଚାଲି ଚାଲି ଅଫିସ୍‌ ଗଲେ ଅତିରିକ୍ତ ଜିଲ୍ଲାପାଳ। ମାଲକାନଗିରିର ଅତିରିକ୍ତ ଜିଲ୍ଲାପାଳ ଅଯୋଧ୍ୟାକାନ୍ତ ଶତପଥୀ ଗତକାଲି ନିଜ ବାସଭବନରୁ ଅଫିସକୁ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଥିଲା।

ଏ ସମ୍ପର୍କରେ ସେ କହିଛନ୍ତି, ପୂର୍ବରୁ ସେ ପ୍ରକଳ୍ପ ନିର୍ଦ୍ଦେଶକ(ପିଡି) ଦାୟିତ୍ୱରେ ଥିବା ବେଳେ ତାଙ୍କୁ ଏକ ଗାଡ଼ି ଦିଆଯାଇଥିଲା। ହେଲେ ଗତକାଲି ସକାଳୁ ସେହି ଗାଡିକୁ ତାଙ୍କ ଠାରୁ ନିଆଯାଇଥିଲା।

ଏପଟେ ତାଙ୍କ ପାଇଁ ଉଦ୍ଦିଷ୍ଟ ଗାଡ଼ିଟି ଖରାପ ହୋଇ ପଡିଥିଲା। ଫଳରେ ସେ ବାଧ୍ୟ ହୋଇ ଚାଲି ଚାଲି ଅଫିସ ଆସିବାକୁ ପଡ଼ିଥିଲା ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ, ଅତିରିକ୍ତ ଜିଲ୍ଲାପାଳ ଚାଲି ଚାଲି ଯିବା ଘଟଣାକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି ଯେ, ଦୁଇ ଦିନ ତଳେ ଜିଲ୍ଲାର ୭ ଜଣ ବିଡିଓଙ୍କୁ ରିଲିଭ ଘଟଣାକୁ ନେଇ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କ ମଧ୍ୟରେ ବିବାଦ ଥିଲା। ଏହି କାରଣରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏଯାଏ ସରକାରୀ ଗାଡି ମିଳିନଥିବା ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ, ଏନେଇ କିଛି ଜାଣି ନଥିବା ଏବଂ ଘଟଣା ନିନ୍ଦନୀୟ ବୋଲି ଜିଲ୍ଲାପାଳ କହିଥିବା ବେଳେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଛନ୍ତି।

You might also like