ଓଡ଼ିଶାରେ ଗଡିବ ଲକ୍ଜୁରି ଟ୍ରେନ୍
ଭୁବନେଶ୍ୱର: ସି ପ୍ଲେନ୍ ପରେ ଓଡ଼ିଶାରେ ଗଡିବ ଲକ୍ଜୁରି ଟ୍ରେନ୍। ଏଥିପାଇଁ ରେଳବାଇ ପକ୍ଷରୁ ରାଜ୍ୟ ସରକାରଙ୍କୁ ବିଧିବଦ୍ଧ ପ୍ରସ୍ତାବ ଦିଆଯାଇଛି।
ରାଜସ୍ଥାନରେ ଚାଲୁଥିବା ‘ପ୍ୟାଲେସ ଅନ୍ ହୁଇଲ’ ଢାଞ୍ଚାରେ ଏହା ପ୍ରସ୍ତୁତ କରାଯିବ। ଓଡ଼ିଶା ସରକାର ଓ ରେଳବାଇ ମିଳିତ ଭାବେ ଏହି ଟ୍ରେନ ସେବା ଆରମ୍ଭ କରିବେ। ରେଳବାଇର ଅଧିକାରୀ ଏନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହ ପ୍ରାରମ୍ଭିକ ଆଲୋଚନା କରିଛନ୍ତି।
ବର୍ତ୍ତମାନ ଦେଶରେ ୭ଟି ଲକ୍ଜୁରି ଟ୍ରେନ୍ ଚାଲୁଛି। ମୁମ୍ବାଇ, ଜୟପୁର, ଆଗ୍ରା ଓ ଦିଲ୍ଲୀ ସମେତ ଅନ୍ୟ କେତେକ ସ୍ଥାନରେ ମଧ୍ୟ ଏହି ଟ୍ରେନ୍ ଗୁଡ଼ିକ ଚଳାଚଳ କରୁଛି। ଯଦିଓ ଏଥିରେ ଯାତ୍ରା ବ୍ୟୟବହୁଳ ତଥାପି ବି ଏହା ବେଶ୍ ଲୋକପ୍ରିୟ ହୋଇପାରିଛି।
ସୂଚନାଥାଉ କି, ଗତ କିଛିଦିନ ତଳେ ଓଡ଼ିଶାରେ ସି-ପ୍ଲେନ୍ ସେବା ଆରମ୍ଭ ଲାଗି ରାଜ୍ୟ ସରକାରଙ୍କୁ ବିମାନସେବା ପ୍ରଦାନକାରୀ କମ୍ପାନୀ ସ୍ପାଇସ ଜେଟ୍ ପ୍ରସ୍ତାବ ଦେଇଥିଲା। ଭୁବନେଶ୍ୱରରୁ ଚିଲିକା ଦେଇ ପୁରୀ, ଭୁବନେଶ୍ୱରରୁ ଭିତରକନିକା ଦେଇ ଚାନ୍ଦିପୁର ଓ ଭୁବନେଶ୍ୱରରୁ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ସି-ପ୍ଲେନ୍ ଚଳାଇବା ଲାଗି ରାଜ୍ୟ ସରକାରଙ୍କୁ ସ୍ପାଇସଜେଟ୍ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା।