ଅାସନ୍ତାକାଲି ଦୃଶ୍ୟମାନ ହେବ ଲୋହିତ ଚନ୍ଦ୍ର, ଚଳିତ ଶତାଦ୍ଦୀର ବିରଳ ମହାଜାଗତିକ ଘଟଣା

ଭୁବନେଶ୍ୱର: ଅାସନ୍ତାକାଲି ଅନୁଷ୍ଠିତ ହେବ ଚଳିତ ଶତାଦ୍ଦୀର ଏକ ବିରଳ ମହାଜାଗତିକ ଘଟଣା। ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସାଙ୍ଗକୁ ଦୃଶ୍ୟମାନ ହେବ ବିରାଟକାୟ ଲୋହିତ ଚନ୍ଦ୍ର ବା ବ୍ଲଡ୍ ମୁନ୍। ଭାରତ ସମେତ ଅନ୍ୟ କିଛି ଦେଶରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ତେବେ ବିଶ୍ୱର ଅନ୍ୟାନ୍ୟ ଦେଶରେ ଏହା ଅାଂଶିକ ଦେଖିହେବ। ଶହେ ଚାରି ବର୍ଷ ପରେ ଅର୍ଥାତ୍ ଅାଗାମୀ ୨୧୨୩ ମସିହା ଜୁନ୍ ୯ରେ ପୁଣି ଏଭଳି ବିରଳ ମହାଜାଗତିକ ଘଟଣା ଘଟିବ।

ଅାସନ୍ତାକାଲି ଘଟିବାକୁ ଯାଉଛି ଚଳିତ ଶତାବ୍ଦୀର ସବୁଠୁ ବିରଳ ମହାଜାଗତିକ ଘଟଣା। ଦୃଶ୍ୟମାନ ହେବ ରକ୍ତବର୍ଣ୍ଣ ଚନ୍ଦ୍ର ବା ବ୍ଲଡ୍-ମୁନ୍। ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଅବସରରେ ଚନ୍ଦ୍ର ବିରାଟ ଅାକାରରେ ଓ ସଂପୂର୍ଣ୍ଣ ଭାବେ ଲାଲ୍ ଦେଖାଯିବ। ଏକ ଘଣ୍ଟା ୪୩ ମିନିଟ୍‌ ଧରି ଏହି ପୂର୍ଣ୍ଣଗ୍ରାସ ରହିବ। କାଲି ରାତି ୧୦ଟା ୪୪ରୁ ଗ୍ରହଣ ଅାରମ୍ଭ ହେବ । ରାତି ଗୋଟାଏରେ ପୂର୍ଣ୍ଣଗ୍ରହଣ ହୋଇ ୨ଟା ୪୩ରେ ଶେଷ ହେବ। ତେବେ ଗ୍ରହଣ ସଂପୂର୍ଣ୍ଣ ଛାଡ଼ିବା ଲାଗି ପାଖାପାଖି ୬ ଘଣ୍ଟା ସମୟ ଲାଗିବ। ଅର୍ଥାତ ଶନିବାର ଭୋର୍ ୪ଟା ୫୮ ମିନିଟ୍‌ରେ ସର୍ବମୋକ୍ଷ ହେବ।

ବ୍ଲଡ୍-ମୁନ୍ ବା ଲୋହିତ ଚନ୍ଦ୍ର କଣ?

ଚନ୍ଦ୍ରଗ୍ରହଣ ସମୟରେ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ପୃଥିବୀ ଏକ ସରଳ ରେଖାରେ ରହେ। ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼ିଲେ ଏହା ଦେଖାଯାଏ ନାହିଁ। ତେବେ ଅାସନ୍ତାକାଲି ଭଳି ବିରଳ ଚନ୍ଦ୍ରଗ୍ରହଣ ଅର୍ଥାତ୍ ଲମ୍ବା ସମୟ ଧରି ଗ୍ରହଣ ଅନୁଷ୍ଠିତ ହେଲେ ସୂର୍ଯ୍ୟଙ୍କ ରଶ୍ମି ପୃଥିବୀର ବାୟୁମଣ୍ଡଳ ଦ୍ୱାରା ପ୍ରତିଫଳିତ ହେବ। ବ୍ଳୁ ଓ ବାଇଗଣୀ ରଶ୍ମି ମାତ୍ରାଧିକ ବିଚ୍ଛୁରିତ ହେଉଥିବା ବେଳେ ନାଲି ଓ ନାରଙ୍ଗୀ ରଶ୍ମି ବାୟୁମଣ୍ଡଳ ସୀମାରୁ ପ୍ରତିଫଳିତ ହୋଇ ଚନ୍ଦ୍ରରେ ପଡ଼ିବ। ତେଣୁ ଏହା ରକ୍ତ ବର୍ଣ୍ଣ ଧାରଣ କରିବ। ଚନ୍ଦ୍ରଗ୍ରହଣ ଦେଖିବା ଲାଗି ବୈଜ୍ଞାନିକ ଦୃଷ୍ଟିକୋଣରୁ କୌଣସି ବାଧା ନଥିଲେ ମଧ୍ୟ ଜ୍ୟୋତିଷ ଶାସ୍ତ୍ରୀ ଭିନ୍ନମତ ପୋଷଣ କରିଛନ୍ତି ।
ଭାରତ ସମେତ ଉତ୍ତର ଅାଫ୍ରିକା, ମଧ୍ୟପ୍ରାଚ୍ୟ, ଚୀନ୍ ପଶ୍ଚିମାଞ୍ଚଳରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିହେବ। ଅନ୍ୟପକ୍ଷରେ ଉତ୍ତର ଅାମେରିକା, ଅଷ୍ଟ୍ରେଲିଅା,ଗ୍ରୀନ୍‌ଲ୍ୟାଣ୍ଡ ଏବଂ ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ଏହା ଅାଂଶିକ ଦୃଶ୍ୟମାନ ହେବ।

You might also like