ଭୋକିଲା ପେଟ ଖାଲି: ବିନା କାର୍ଡରେ ଚାଉଳ ନେଉଛନ୍ତି ୧୯ ଲକ୍ଷ ପରିବାର

ଭୁବନେଶ୍ୱର: ମଲା ହଜିଲା ଲୋକଙ୍କ ନାଁରେ ଉଠୁଛି ଖାଦ୍ୟଶସ୍ୟ। ବଣ୍ଟା ନହୋଇ ପଡିରହିଛି ହଜାର ହଜାର ରାସନକାର୍ଡ। ବିନା କାର୍ଡରେ ବି ଚାଉଳ ଉଠୁଛି। ପ୍ରାୟ ୧୯ ଲକ୍ଷ ପରିବାର ବିନା କାର୍ଡରେ ଏମିତି ଚାଉଳ ନେଇ ଚାଲିଛନ୍ତି। ହେଲେ ତାଲିକାକୁ ଉଠିପାରୁନି, ପ୍ରକୃତ ହିତାଧିକାରୀଙ୍କ ନାଁ। ଓଡ଼ିଶା ଫୁଡ଼ କମିଶନ ଜିଲ୍ଲାପାଳମାନଙ୍କୁ ଲେଖିଥିବା ଚିଠିରୁ ପଦାକୁ ଆସିଛି ଏମିତି କିଛି ଆଖି ତରାଟିଲା ଭଳି ତଥ୍ୟ।

ବାରିପଦା ସହରର ୨୨ନମ୍ବର ଓ୍ୱାର୍ଡ କୁଷ୍ଠ ରୋଗୀ କଲୋନୀରେ ରହୁଛନ୍ତି ପଞ୍ଚମୀ ସି।  ତାଙ୍କ ଆଖି ବଖାଣୁଛି ପେଟ ଜ୍ୱାଳାର ବ୍ୟଥା। ଖପର ଘର ପିଣ୍ଢାରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। ମାଗି ଯାଚି ଆଣିଲେ ଘରେ ଚୂଲି ଜଳୁଛି, ନହେଲେ ଭୋକିଲଶ ପେଟରେ ଦିନ କାଟିବାକୁ ପଡୁଛି। ପଞ୍ଚମୀଙ୍କର ନାଁ ଖାଦ୍ୟ ସୁରକ୍ଷା ଯୋଜନା ତାଲିକାରେ ଚଢ଼ି ପାରିଲାନି। ଆଉ ଜଣେ ହେଲେ ବାରିପଦା ରଘୁନାଥପୁରର ଅନାଦି ପଢ଼ିହାରୀ। ବାପା ଥିଲା ବେଳେ ରାସନକାର୍ଡଟିଏ ଥିଲା। ହେଲେ ସେ ଆରପାରିକୁ ଚାଲିଯିବା ପରେ ତାଙ୍କ ନାଁ ତାଲିକାରୁ କଟିଯାଇଛି। ସେହିପରି ନୂଆପଡ଼ା ଜିଲ୍ଲା ତରବୋଡ଼ର ବିଧବା ମହିଳାଙ୍କ ରୋଜଗାରିଆ ସ୍ୱାମୀ ଅକାଳରେ ଚାଲିଗଲା ପରେ ଏବେ ଏକା ବୋହିବାକୁ ପଡୁଛି ତିନି ତିନିଟି ପିଲା ଓ ବୃଦ୍ଧ ଶ୍ୱଶୁରଙ୍କ ବୋଝ।  ରାସନକାର୍ଡଟିଏ ପାଇଁ କେତେ ଥର ସରପଞ୍ଚଙ୍କୁ ଦରଖାସ୍ତ ଦେଲେଣି ଓ ପଞ୍ଚାୟତ ଅଫିସ୍ ଦୌଡିଲେଣି। ହେଲେ ସବୁଠି ତାଙ୍କୁ ମିଳିଛି ନିରାଶ।

ଏପଟେ କିନ୍ତୁ ଫୁଡ୍ କମିଶନରଙ୍କ ନିକଟରେ ଦାଖଲ ହୋଇଥିବା ରିପୋର୍ଟ ଅନୁସାରେ ରାସନକାର୍ଡ ବଣ୍ଟନରେ ଅନିୟିତତା ପରିଲକ୍ଷିତ ହୋଇଛି। ନିଜେ ଫୁଡ୍ କମିଶନ ଜିଲ୍ଲାପାଳମାନଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ୨୦୧୭ ଡିସେମ୍ବର ୩୧ ସୁଦ୍ଧା ବଣ୍ଟନ ହୋଇଥିବା ରାସନକାର୍ଡ ସଂଖ୍ୟା ସହ ବର୍ଷ ଆରମ୍ଭର ଓପେନିଂ ବାଲାନ୍ସ ତଥ୍ୟ ମେଳ ଖାଉନି। ଏପରି ପରିଲକ୍ଷିତ ହୋଇଛି ୧୩ଟି ଜିଲ୍ଲାରେ। ଏହାର ସତ୍ୟତା ଯାଞ୍ଚ କରିବାକୁ  ଜିଲ୍ଲାପାଳମାନଙ୍କୁ କହିଛନ୍ତି ଫୁଡ଼ କମିଶନ। ୮ଟି ଜିଲ୍ଲାରେ ଏବେ ବି ୧୯ଲକ୍ଷ ୬୧ ହଜାର ଲୋକ ଚୂଡାନ୍ତ ତାଲିକାରେ ସ୍ଥାନ ପାଇଥିଲେ ବି ସେମାନଙ୍କୁ ରାସନକାର୍ଡ ଯୋଗାଇ ଦିଆଯାଇନାହିଁ। ହେଲେ ସେମାନେ ଖାଦ୍ୟ ଶସ୍ୟ ନେଉଛନ୍ତି। ଏମିତିକି ମୃତ ବ୍ୟକ୍ତିଙ୍କ ନାଁ ଏବେ ବି ବହୁ ସ୍ଥାନରେ ତାଲିକାରୁ କଟିନାହିଁ।

ଏତେ ସବୁ ପରେ ବି ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଅଜବ ଉତ୍ତର ଦେଇଛନ୍ତି। ଜନସଂଖ୍ୟା ବଢୁଛି, ତେଣୁ ଯେଉଁମାନେ ତାଲିକାରୁ ବାଦ୍ ପଡିଛନ୍ତି ରାଜ୍ୟ ସରକାର ସେମାନଙ୍କ ପାଇଁ ଯୋଜନା କରିବେ ବୋଲି କହିଛନ୍ତି।

ଗୋଟିଏ ପଟେ ଫୁଡ୍ କମିଶନଙ୍କ ଉଦ୍‌ବେଗ, ଅନ୍ୟପଟେ ଅପେକ୍ଷାରେ ହଜାର ହଜାର ରାସନକାର୍ଡ ହିତାଧିକାରୀ। ଏବେ ଅପେକ୍ଷା କେବେ ଫୁଡ୍ କମିଶନଙ୍କ ଉଦ୍‌ବେଗ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି।

You might also like