ଜବରଦଖଲକାରୀଙ୍କୁ ପ୍ରୋତ୍ସାହନ ପାଇଁ ସରକାରଙ୍କ ନୂଆ ଫନ୍ଦି

ଭୁବନେଶ୍ୱର : ସରକାରୀ ଜମିରେ ଅନୁପ୍ରବେଶ ଦଣ୍ଡନୀୟ । ବିଧାନସଭାରେ ଅଧ୍ୟାଦେଶ ଆଣିବା ପରେ ରାଜଧାନୀରେ ଜବରଦଖଲକାରୀଙ୍କ ପାଇଁ ସତର୍କ ଘଣ୍ଟି ବଜାଇ ଏମିତି ବୋର୍ଡ ଲଗାଇଛନ୍ତି ସରକାର। କିନ୍ତୁ ଯେଉଁଠି ବୋର୍ଡ ଲାଗିଛି, ସେଇଠି ଜବରଦଖଲକାରୀ କରିଛନ୍ତି ଘର।  କିଛି ସ୍ଥାନରେ ଛାତ  ଘର ବି ହୋଇଛି। ସରକାରୀ ଜମିରୁ ଜବରଦଖଲ ହଟାଇବା ପାଇଁ ସରକାର ୨୦୧୫ ଏପ୍ରିଲରେ ଆଣିଥିଲେ ଜମି ଜବରଦଖଲ ହଡପ ନିରୋଧ ଅଧ୍ୟାଦେଶ ।

ଏଥିରେ ସରକାରୀ  ଜମିହଡପ କାରୀଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନାର ବ୍ୟବସ୍ଥା ଥିଲା । ୩ ମାସ ଅଧ୍ୟାଦେଶ ବଳବତ୍ତର ରହିଲା । ତେବେ ବିଡମ୍ବନା ହେଉଛି  ଅଧ୍ୟାଦେଶ ପରେ ସରକାର ବିଲ୍‌କୁ ବିଧାନସଭାରେ ପାରିତ କରିଥିଲେ ବି ଏହାକୁ ରାଷ୍ଟ୍ରପତିଙ୍କ ଅନୁମତି ମିଳିଲାନାହିଁ। ତେବେ ବିଲ୍‌ରେ କିଛି ପରିବର୍ତ୍ତନ ପାଇଁ ସରକାର ଏହାକୁ ଆଇନ ବିଭାଗକୁ ପଠାଇ  କିଛି ଦିନ ଚୁପ୍‌ ରହିବା ପରେ ଆଉ ଏକ ବିପରୀତ ବିଲ ଆଣିବାକୁ ଯୋଜନା କରୁଛନ୍ତି । ଯେଉଁଥିରେ ଜବରଦଖଲକାରୀଙ୍କୁ ଥଇଥାନ କରି ଜମି ସ୍ଥାୟୀ ଭାବେ ତାଙ୍କ ନାଁରେ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି।

ପ୍ରସ୍ତାବିତ  ଚିଠା ବିଲ୍‌ର ବ୍ୟବସ୍ଥା  ଅନୁସାରେ ଏହା ବସ୍ତି ବାସିନ୍ଦାଙ୍କ ପାଇଁ ଲାଗୁ ହେବ ନାହିଁ। କେବଳ ସହରର ସରକାରୀ ଜମିକୁ ଜବରଦଖଲ କରି ଦୀର୍ଘ ଦିନ ଧରି ରହୁଥିବା ଲୋକଙ୍କ ପାଇଁ ଏହା ଉଦ୍ଦିଷ୍ଟ ହେବ। ଆଗକୁ ନିର୍ବାଚନ। ସହରରେ ଅନେକ ସରକାରୀ ଜମି ବଡ଼ବଡିଆଙ୍କ କବ୍‌ଜାରେ । ତେଣୁ ବଡବଡିଆ ଜବରଦଖଲକାରୀଙ୍କୁ ଥଇଥାନ ପାଇଁ ସରକାରଙ୍କ ଏହା ଏକ ଫନ୍ଦି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ।

ସୂଚନା ଅନୁସାରେ ରାଜ୍ୟରେ ୪୫  ହଜାର ଏକର ଜମି ଜବରଦଖଲକାରୀଙ୍କ କବଜାରେ ରହିଛି । କେବଳ ଭୁବନେଶ୍ୱରରେ ଜବରଦଖଲରେ ରହିଛି ୪୭୪ ଏକର ସରକାରୀ ଜମି ।

 

 

You might also like