ପାଣି ପରେ ଓଡ଼ିଶାର ଜମି ଉପରେ ଛତିଶଗଡ଼ର ଆଖି

ନୂଆପଡ଼ା: ମହାନଦୀ ପାଣି ବିବାଦ ତୁଟିନି, ଏବେ ଓଡ଼ିଶାର ଜମି ଉପରେ ଆଖି ପକେଇଲାଣି ଛତିଶଗଡ଼। ନୂଆପଡ଼ା ଜିଲ୍ଲାର ନୂଆମାଲପଡ଼ା ଗାଁର ୨୦ ଏକର ଜମିକୁ ଛତିଶଗଡ଼ ସରକାର ତାଙ୍କ ରାଜ୍ୟର ଲୋକଙ୍କ ନାଁରେ ପଟ୍ଟା କରି ଜବରଦଖଲ ପ୍ରୟାସ କରୁଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଛତିଶଗଡ଼ ସରକାର ଜମି ନ ଫେରାଇଲେ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଲୋକପ୍ରତିନିଧି ଓ ରାଜନେତା ଚେତାବନୀ ଦେଇଛନ୍ତି।

ବର୍ଷ ବର୍ଷ ଧରି ନୂଆମାଲପଡ଼ା ଚାଷୀଙ୍କ ଭୋଗ ଦଖଲରେ ଥିବା ୨୦ ଏକର ଜମିକୁ ନିଜ ରାଜ୍ୟର ୧୦ରୁ ଅଧିକ ଭୂମିହୀନଙ୍କୁ ପଟ୍ଟା କରି ଦେଇଛି ଛତିଶଗଡ଼। ଏପରିକି ମାପଚୁପ କରି ଏସବୁ ଜମି ଚିହ୍ନଟ କରିବା ସହ ପାଚେରୀ ବୁଲେଇବା ପାଇଁ ପଥର ବି ଗଦେଇ ଦେଇଛି। ଯାହାକୁ ନେଇ ବିବାଦ ବଢିଚାଲିଛି ।

ମାଟି ଉପରେ ଛତିଶଗଡ଼ର ଦାଦାଗିରି ପଦାକୁ ଆସିବା ପରେ ଏହା ଏବେ ରାଜନୈତିକ ମୋଡ଼ ନେଇଛି।  ସିନାପାଲି ବ୍ଲକ୍‌ର ଲୋକପ୍ରତିନିଧି ଓ ରାଜନେତା ବିବାଦୀୟ ଜମିର ସ୍ଥିତି ଅନୁଧ୍ୟାନ କରି ଛତିଶଗଡ଼ର ଦାଦାଗିରିକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

ବିବାଦର ମଞ୍ଜି ହେଉଛି, ଓଡ଼ିଶା ସରକାରଙ୍କ ସିଟ୍ ନମ୍ବର ୩ର ପ୍ଲଟ୍ ନମ୍ବର ୧୪୬୦ ଓ ୧୪୬୬ ତଥା ଛତିଶଗଡ଼ ସରକାରଙ୍କ ଖାତା ନଂ ୨୬୧ର କିଛି ପ୍ଲଟ୍ ଉଭୟ ରାଜ୍ୟ ଏଇ ସବୁ ଜମିକୁ ସେମାନଙ୍କର ବୋଲି ଦାବି କରୁଛନ୍ତି। ଉଭୟ ପକ୍ଷର ରାଜସ୍ୱ ଅଧିକାରୀ ବିବାଦୀୟ ସ୍ଥାନ ପରିଦର୍ଶନ କରିଥିଲେ ବି କିଛି ସୁଫଳ ମିଳିନି।

 

You might also like