ଗଞ୍ଜାମ : ଯେତେବେଳେ ଯନ୍ତ୍ରଣା ସୀମା ଲଙ୍ଘେ, ଅାତ୍ମୀୟ ଧୋକା ଦିଅନ୍ତି, ସେତେବେଳେ ଜୀବନ ପ୍ରତି ବୋଧହୁଏ ମୋହ ତୁଟିଯାଏ। ଅାଉ ଏମିତି ସ୍ଥିତିର ସମ୍ମୁଖୀନ ହୋଇ ଜୀବନ ହାରିଦେଇଛନ୍ତି ଜଣେ ସ୍ୱଳ୍ପ ବୟସର ମହିଳା ଡାକ୍ତର। ଗଞ୍ଜାମ, ଛତ୍ରପୁର ଷ୍ଟେସନ୍ ନିକଟରେ ଟ୍ରେନ୍ ଅାଗକୁ ଡେଇଁ ସବୁ ନିର୍ଯାତନା ଓ ଲାଞ୍ଛନାରୁ ନିଜକୁ ମୁକ୍ତ କରିଦେଇଛନ୍ତି ଡାକ୍ତର ଅର୍ଚ୍ଚନା ଦାଶ। ଡାକ୍ତର ସ୍ୱାମୀ ଓ ଶାଶୁଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ସେ ଏଭଳି ପଦକ୍ଷେପ ନେଇଥିବା ଅର୍ଚ୍ଚନାଙ୍କ ବାପା ଅଭିଯୋଗ କରିଛନ୍ତି।
ପାରିବାରିକ ଅଶାନ୍ତିର ବହ୍ନିରେ ଅତିଷ୍ଠ ହୋଇ ଟ୍ରେନ୍ ଅାଗକୁ ଡେଇଁ ନିଜ ଶରୀରକୁ ଖିନ୍ଭିନ୍ କରିଦେଇଛନ୍ତି ଡାକ୍ତର ଅର୍ଚ୍ଚନା ଦାଶ। ମାତ୍ର ୫ ବର୍ଷ ତଳେ ହୋଇଥିଲା ବିବାହ। ସ୍ୱାମୀ ଅଞ୍ଜନ ଦାସ୍ ମଧ୍ୟ ଜଣେ ଡାକ୍ତର ଓ ଭୁବନେଶ୍ୱରରେ ଏକ ପ୍ରତିଷ୍ଠିତ ଘରୋଇ ହସପିଟାଲରେ କାର୍ଯ୍ୟରତ।
ତେବେ କଣ ହୋଇପାରେ ଅର୍ଚ୍ଚନାଙ୍କ ଚରମ ନିଷ୍ପତ୍ତି ପଛର କାରଣ? ଅର୍ଚ୍ଚନାଙ୍କ ବାପାଙ୍କ ଅଭିଯୋଗ, ଝିଅକୁ ରୀତିମତ ନିର୍ଯାତନା ଦେଉଥିଲେ ସ୍ୱାମୀ ଅଞ୍ଜନ ଓ ତାଙ୍କ ମାଅା । ଅତ୍ୟଧିକ ମାନସିକ ଚାପ ଯୋଗୁ କିଛି ଦିନ ତଳେ ଅର୍ଚ୍ଚନା ବ୍ରେନ୍ ଷ୍ଟ୍ରୋକ୍ର ଶିକାର ବି ହୋଇଥିଲେ। ତେବେ ଶାଶୁ ଘର ଲୋକ ଉପଯୁକ୍ତ ଚିକିତ୍ସା ନକରାଇବାରୁ ସେ ଝିଅକୁ ଘରକୁ ନେଇଅାସିଥିବା କହିଛନ୍ତି ଅର୍ଚ୍ଚନାଙ୍କ ବାପା ରଘୁନାଥ।
ଏହାସତ୍ତ୍ୱେ କମିନଥିଲା ନିର୍ଯାତନା। କିଛି ଦିନ ତଳେ ସ୍ୱାମୀ ଅଞ୍ଜନ ଛାଡ଼ପତ୍ର ନୋଟିସ୍ ପଠାଇଥିଲେ। ତେବେ ଏଥିରେ ଲେଖାଥିବା କପୋଳକଳ୍ପିତ ଅଭିଯୋଗକୁ ଦେଖି ଅର୍ଚ୍ଚନା ଅତ୍ୟନ୍ତ ମର୍ମାହତ ହୋଇପଡିଥିଲେ ବୋଲି ବାପା ରଘୁନାଥ ଅଭିଯୋଗ କରିଛନ୍ତି।
ଅାଜି ସକାଳେ ରେଳବାଇ ପୁଲସ୍ ଛତ୍ରପୁର ଷ୍ଟେସନ୍ ନିକଟରେ ଅର୍ଚ୍ଚନାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଠାବ କରିଥିଲା। ପୁଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ରିପୋର୍ଟ ଅାସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଅାଯିବ ବୋଲି ପୁଲିସ କହିଛି। ସେପଟେ ଅର୍ଚ୍ଚନାଙ୍କ ବାପା ଅାଣିଥିବା ଅଭିଯୋଗ ନେଇ ସ୍ୱାମୀ ଅଞ୍ଜନଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ହୋଇପାରିନାହିଁ। …
ନିର୍ଯାତନାରୁ ମୁକ୍ତି ପାଇବାକୁ ଅର୍ଚ୍ଚନା ଜୀବନକୁ ଶେଷ କରିଦେଲେ ସତ, ହେଲେ ତାଙ୍କ ମୃତ୍ୟୁ ଛାଡି ଯାଇଛି ଅନେକ ଅସମାହିତ ପ୍ରଶ୍ନ।