କୁନ୍ଦୁଲି ମାମଲା : ପୀଡିତାଙ୍କ ପୋଷାକରେ ସିମେନ୍‌ ଦାଗ ନଥିବା ସ୍ପଷ୍ଟ କଲା କେନ୍ଦ୍ରୀୟ ଫୋରେନସିକ୍ ଲ୍ୟାବ୍‌

କଟକ : କୁନ୍ଦୁଲି ପୀଡ଼ିତାଙ୍କ ପୋଷାକରେ ସିମେନ୍‌ର କୌଣସି ଦାଗ ନାହିଁ। ଏ ନେଇ ରାଜ୍ୟ ଫୋରେନ୍ସିକ୍ ଲାବୋରେଟୋରୀ କୋର୍ଟରେ ଯେଉଁ ଚୂଡାନ୍ତ ରିପୋର୍ଟ ଦେଇଥିଲା, ସେଥିରେ କାଏମ ରହିଛି। କେନ୍ଦ୍ରୀୟ ଫୋରେନସିକ୍ ଲାବୋରେଟୋରୀ ବା CFSL କୋଲକାତାସ୍ଥିତ CFSL ନିର୍ଦ୍ଦେଶକ, କୋର୍ଟରେ ଏ ସମ୍ପର୍କିତ ରିପୋର୍ଟ ଦାଖଲ କରିବା ପରେ ଏହି ରିପୋର୍ଟ ଆଜି କ୍ରାଇମବ୍ରାଞ୍ଚ୍ର ହସ୍ତଗତ ହୋଇଛି। ଏ ସମ୍ପର୍କରେ ଆଜି କ୍ରାଇମବ୍ରାଞ୍ଚ୍ ଏସ୍‌ପି ଆର. ବି. ପାଣିଗ୍ରାହୀ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ଯେ, କୋଲକତାସ୍ଥିତ CFSL ରିପୋର୍ଟରେ ମଧ୍ୟ ପୀଡ଼ିତାଙ୍କ ପୋଷାକରେ ସିମେନର କୌଣସି ଦାଗ ନଥିବା ସ୍ପଷ୍ଟ ହୋଇଛି।

ପୋଷାକରୁ ଯେଉଁ ନମୁନା ମିଳିଛି ତାହା କେବଳ ପୀଡ଼ିତାଙ୍କର ବୋଲି ରିପୋର୍ଟରେ ଦର୍ଶାଯାଇଛି। ପୂର୍ବରୁ ପୀଡ଼ିତାଙ୍କ ପୋଷାକରୁ ଦୁଇ ଜଣଙ୍କ ସିମେନ୍ ନମୁନା ମିଳିଥିବା ନେଇ ରାଜ୍ୟ ଫୋରେନସିକ୍ ଲାବରୋଟାରୀର ପ୍ରିଲିମିନାରୀ ରିପୋର୍ଟର ଉଲ୍ଲେଖ ଥିଲା। ଏ ସଂପର୍କିତ ଖବର ଓଟିଭିରେ ପ୍ରସାରଣ ପରେ ପ୍ରିଲିମିନାରୀ ରିପୋର୍ଟର ବିଶ୍ୱସନୀୟତାକୁ ନେଇ ସନ୍ଦେହ ଉପୁଜିବାରୁ, ପୀଡ଼ିତାଙ୍କ ପୋଷାକକୁ ଆଉ ଥରେ ଯାଞ୍ଚ୍  ପାଇଁ କୋଲକାତାସ୍ଥିତ CFSLକୁ ପଠାଯିବାକୁ ପୋଲିସ ଡିଜି ନିର୍ଦ୍ଦେଶ ଦେଇଥିଲେ।

ତେବେ କେନ୍ଦ୍ରୀୟ ଫୋରେନସିକ୍ ଲ୍ୟାବ୍‌ର ଏ ରିପୋର୍ଟ ପରେ ରାଜ୍ୟ ଫୋରେନସିକ୍ ଲାବ୍‌ର ରିପୋର୍ଟକୁ ନେଇ ନେଇ ଯେଉଁ ଦ୍ୱନ୍ଦ୍ୱ ଉପୁଜିଥିଲା ତାହା ଏବେ ଦୂର ହୋଇଥିବା କ୍ରାଇମବ୍ରାଞ୍ଚ୍  ଏସପି କହିଛନ୍ତି। ତେବେ ଷ୍ଟେଟ୍ ଲ୍ୟାବ୍‌ର ପ୍ରିଲିମିନାରୀ ରିପୋର୍ଟରେ କିଭଳି ୨ଟି ସିମେନ୍ ସାମ୍ପଲ୍ ଉଲ୍ଲେଖ କରାଯାଇଥିଲା ସେ ସଂପର୍କରେ ତଦନ୍ତ ଚାଲିଥିବା କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କୁହାଯାଇଛି।

You might also like