ଏଯାଏଁ ପଥର ତଳୁ ଉଦ୍ଧାର ହୋଇପାରିଲେନି ୨ ଜେସିବି ଅପରେଟର

କୋରାପୁଟ: କୋରାପୁଟ ଜିଲ୍ଲା ତେଲେଙ୍ଗିରି ପ୍ରକଳ୍ପ ଅଞ୍ଚଳରେ ପାହାଡ଼ ଧସିବା ଘଟଣାକୁ ୬୦ ଘଣ୍ଟା ବିତିଥିଲେ ମଧ୍ୟ ଏଯାଏଁ ପଥର ତଳେ ଚାପି ହୋଇରହିଥିବା ୨ ଜେସିବି ଅପରେଟରଙ୍କୁ ଉଦ୍ଧାର କରାଯାଇପାରିନାହିଁ।

ଗତକାଲି ରାତିରେ ନିଜେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଓଡ୍ରାଫ ଟିମ୍ ଏବଂ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି  ବିଭିନ୍ନ କୌଶଳ ଆପଣାଇଥିଲେ, ତେବେ କୌଣସି କୌଶଳ କାମ କରିନଥିଲା। ଏମିତିକି ପଥର ଉଠାଇବା ପାଇଁ ଏକ ବଡ କ୍ରେନ୍ ମଧ୍ୟ ଅଣାଯାଇଥିଲା।

ତେବେ ରାତିସାରା କସରତ ପରେ ମଧ୍ୟ ଏଥିରେ କୌଣସି ସୁଫଳ ମିଳି ନ ଥିବାବେଳେ, ନିରାଶ ହୋଇ ଫେରିଥିଲା ପ୍ରଶାସନ। ଆଜି ଏନେଇ କୌଣସି ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି।  ଗତକାଲି ମଧ୍ୟ ଅଗ୍ନିଶମ, ଓଡ଼୍ରାଫ୍ ଏବଂ ଏନ୍‌ଡ଼ିଆର୍‌ଏଫ୍‌ ଯବାନଙ୍କ ସମସ୍ତ କୌଶଳ ବି ଫେଲ୍ ମାରିଥିଲା।

ବିଶାଳକାୟ ପଥର ଗୁଡ଼ିକୁ କେମିତି ହଟାଯିବ, ତାକୁ ନେଇ ସମସ୍ତେ ଚିନ୍ତାରେ ପଡ଼ିଯାଇଛନ୍ତି। କାରଣ ୪୦ରୁ ୫୦ ଟନ୍ ଓଜନ ବିଶିଷ୍ଟ ବିରାଟକାୟ ପଥର ଖଣ୍ଡର ଗଦା ଭିତରେ ଫସିରହିଛନ୍ତି ଦେବଗଡ଼ର ଘନଶ୍ୟାମ ଗୁରୁ ଓ ଆଠଗଡ଼ର ସଞ୍ଜୟ ଦାସ।୩ ଦିନ ପରେ ବି ତାଙ୍କୁ ଉଦ୍ଧାର କରାଯାଇପାରିନାହିଁ। ଦୁଃଖରେ ଭାଙ୍ଗିପଡ଼ିଥିବା ଉଭୟଙ୍କ ପରିବାର ରାଣୀଗଡ଼ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ତା’ ସହ ସଂପୃକ୍ତ ଠିକା ସଂସ୍ଥାର ଲାଇସେନ୍ସ ବାତିଲ୍ ଦାବି କରିଛନ୍ତି।

You might also like