ଟ୍ରେନ୍ର ଶେଷ ବଗିରେ କାହିଁକି ଥାଏ ‘X’ ଚିହ୍ନ ?
ନୂଆଦିଲ୍ଲୀ: ସବୁ ଯାତ୍ରୀବାହୀ ଟ୍ରେନ୍ର ଶେଷ ବଗି ପଛରେ ‘X’ ଲେଖାଯାଇଥାଏ। ତେବେ କାହିଁକି ଏହି ‘X’ ଚିହ୍ନ ଥାଏ କେବେ ଭାବିଛନ୍ତି କି ? ଏହା ପଛରେ କ’ଣ କାରଣ ରହିଛି ଆସନ୍ତୁ ଜାଣିବା। ମୁଖ୍ୟତଃ ଏହି ଚିହ୍ନ ଟ୍ରେନ କର୍ମଚାରୀଙ୍କ ସୁବିଧା ପାଇଁ ଲଗାଯାଇଥାଏ।
ଟ୍ରେନ୍ ସମ୍ପୂର୍ଣ୍ଣ ଭାବେ ଯାଇଛି ନା ନାହିଁ ଏହି ଚିହ୍ନରୁ ଷ୍ଟେସନ ଗାର୍ଡ଼ ଜାଣିପାରନ୍ତି। କାଳେ କୌଣସି କାରଣରୁ କୌଣସି ବଗି ବିଚ୍ଛିନ୍ନ ହୋଇ ରହିଯାଇଥିବ ଏଥିରେ ନିଶ୍ଚିତ ହେବା ପାଇଁ ‘X’ ଲେଖାଯାଇଥାଏ। ଯଦି ଏହି ‘X’ ଚିହ୍ନ ବଗିରେ ନ ଥିବ ତେବେ ଷ୍ଟେସନ କର୍ମଚାରୀ ଟ୍ରେନ୍ ଅଟକାଇବା ପାଇଁ ସଙ୍କେତ ଦେଇଥାଆନ୍ତି।
ଏହି ‘ଏକ୍ସ’ ଚିହ୍ନର ରଙ୍ଗ ହେଉଛି ଧଳା ଓ ଲାଲ। ଖାଲି ଏତିକି ନୁହେଁ ଅନେକ ଟ୍ରେନର ଶେଷ ବଗିରେ ଲ୍ୟାମ୍ପ ମଧ୍ୟ ଲଗାଯାଇଛି। ଏହି ଲ୍ୟାମ୍ପ ଆଗରୁ ତେଲରେ ଜଳୁଥିଲା। ଏବେ ଏହା ବିଦ୍ୟୁତଶକ୍ତି ଦ୍ୱାରା ଜଳୁଛି। ନିୟମ ଅନୁସାରେ ସବୁ ଟ୍ରେନର ଶେଷ ବଗିରେ ଏହି ଚିହ୍ନ ରଖିବା ବାଧ୍ୟତା ମୂଳକ। ଏହାଛଡା ଟ୍ରେନର ଶେଷ ବଗିରେ ଏକ ବୋର୍ଡ ଟଙ୍ଗାଯାଇଥାଏ ଯେଉଁଥିରେ କି ‘LV’ ଲେଖାଯାଇଥାଏ। ‘ଏଲଭି’ ହେଉଛି ଲାଷ୍ଟ ଭେଇକିଲ । ଏହାର ଅର୍ଥ ହେଉଛି ଶେଷ ବଗି।