ନରମିଲେ କ୍ରୁର କିମ୍: ଶାନ୍ତି ପାଇଁ ଚାଲି ଚାଲି ଦେଶର ସୀମା ଡେଇଁଲେ
ପୋଙ୍ଗ୍ୟାଙ୍ଗ୍: ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନ୍ ଏବଂ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜେ-ଇନ୍ ମଧ୍ୟରେ ଶୁକ୍ରବାର ଐତିହାସିକ ସାକ୍ଷାତ ହୋଇଛି। ଏଥିପାଇଁ କିମ୍ ଜଙ୍ଗ୍ ଉନ୍ ନିଜେ ଚାଲି ଚାଲି ଆନ୍ତର୍ଜାତିକ ସୀମାରେଖା ଅତିକ୍ରମ କରି ଦକ୍ଷିଣ କୋରିଆରେ ପହଞ୍ଚିଛନ୍ତି। ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ନେଇ ଆଲୋଚନା ହେବାର ସମ୍ଭାବନା ରହିଛି।
କିମ୍ ଜଙ୍ଗ୍ ଉନ୍ ସୀମା ପ୍ରବେଶ କରିବା ପୂର୍ବରୁ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜେ-ଇନ୍ ତାଙ୍କୁ ସ୍ୱାଗତ କରିଥିଲେ। ୧୯୫୩ର ବିଧ୍ୱଂସକ କୋରିଆ ଯୁଦ୍ଧର ୬ ଦଶନ୍ଧୀ ପରେ ଦକ୍ଷିଣ କୋରିଆ ମାଟିରେ ପାଦ ଦେଇଥିବା ପ୍ରଥମ ଉତ୍ତର କୋରିଆ ଶାସକ ହେଉଛନ୍ତି କିମ୍।
ଐତିହାସିକ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଦକ୍ଷିଣ କୋରିଆରେ ଆସି ପହଞ୍ଚିଛନ୍ତି ଉତ୍ତର କୋରିଆ ଏକଛାତ୍ରବାଦୀ ଶାସକ କିମ୍ ଜଙ୍ଗ୍। ଦୁଇ ଦେଶର ସୀମାକୁ ନେଇ ବର୍ଷ ବର୍ଷ ଧରି ଲାଗି ରହିଥିବା ଅଚଳାବସ୍ଥା ଦୂର କରିବାକୁ ଦୁଇ ରାଷ୍ଟ୍ରମୁଖ୍ୟ ମଧ୍ୟରେ ଐତିହାସିକ ଆଲୋଚନା ହେବ। ଉଭୟ ଦେଶ ମଧ୍ୟରେ ଆଣବିକ ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମ ହ୍ରାସ କରିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବା ସମ୍ଭାବନା ରହିଛି।