କେରଳରେ କାଲିଠାରୁ କମିବ ବର୍ଷା, ହେଲେ ପିଛା ଛାଡୁନି ଦୁର୍ଦ୍ଦଶା

ମୃତ୍ୟୁସଂଖ୍ୟା ଟପିଲା ୩୫୦

କେରଳ : କେରଳରେ ଅାସନ୍ତାକାଲିଠାରୁ ବର୍ଷା କମିବ। ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିବା ଦ୍ୱାରା ସାମାନ୍ୟ ଅାଶ୍ୱସ୍ତି ପ୍ରକାଶ ପାଇଛି। କୌଣସି ଜିଲ୍ଲାରେ ରେଡ୍‌ ଅାଲର୍ଟ ଜାରି କରାଯାଇ ନାହିଁ।  ଅଗଷ୍ଟ ୯ ତାରିଖ ପରେ ପ୍ରଥମ ଥର ଲାଗି କୌଣସି ଜିଲ୍ଲାରେ ରେଡ୍‌ ଅାଲର୍ଟ ଜାରି କରାଯାଇ ନାହିଁ। ତେବେ ଏର୍ଣ୍ଣାକୁଲମ୍, ପଠନମ୍‌ଥିଟ୍ଟା ଓ ଅାଲ୍ଲାପୁଜାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।

ଅାଜି କେତେକ ଜଳଭଣ୍ଡାରର ଜଳସ୍ତର କମିଛି। ସେପଟେ ବର୍ଷା ଓ ବନ୍ୟାରେ ମୃତ୍ୟୁ ସଂଖ୍ୟା ୩୫୦ ଟପିଛି।  ପ୍ରାୟ ସାଢ଼େ ୩ ହଜାର ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି ସାଢ଼େ ୬ ଲକ୍ଷ ବନ୍ୟା ବିପନ୍ନ। ଆଜି ନାଭାଲ୍ ବେସ୍‌ର କମର୍ସିଆଲ୍ ଫ୍ଲାଇଟ୍ ଉଡ଼ାଣ ହେବ। ଜୋରସୋରରେ ଚାଲିଛି ଉଦ୍ଧାର କାମ। ତେବେ ବହୁ ଅଞ୍ଚଳରେ ଏବେ ବି ଉଦ୍ଧାରକାରୀ ଦଳ ପହଞ୍ଚି ପାରି ନାହାନ୍ତି।

ଲୋକେ ଛାତ ଉପରେ ଅାଶ୍ରୟ ନେଇଛନ୍ତି। ପାଣି କମିଥିବାରୁ ଯାଇ ପାରୁ ନାହିଁ ବଡ଼ ବଡ଼ ଡଙ୍ଗା। ଉଦ୍ଧାର କାମରେ ମୋଟ ୩୮ ଟି ହେଲିକପ୍ଟର ଲାଗିଛି। ସେନା ବାହିନୀ ସହିତ ହଜାର ହଜାର ଉଦ୍ଧାରକାରୀ ନିୟୋଜିତ ହୋଇଛନ୍ତି।  ସ୍କୁଲ, କଲେଜ, ମନ୍ଦିର, ମସ୍‌ଜିଦ୍ ଓ ଚର୍ଚ୍ଚରେ ମଧ୍ୟ ଲୋକଙ୍କୁ ରଖାଯାଇଛି। କେତେକ ରିଲିଫ କେନ୍ଦ୍ରରେ ଖାଦ୍ୟ ଓ ପାନୀୟର ଅସୁବିଧା ରହିଥିବା ଅଭିଯୋଗ ହୋଇଛି। କେତେକ ଅଞ୍ଚଳରେ ଅାକାଶ ମାର୍ଗରୁ ପକାଯାଇଛି ଖାଦ୍ୟ ପୁଡ଼ିଆ। ଟ୍ରେନ୍‌ରୁ ପ୍ରଭାବିତ ଅଞ୍ଚଳକୁ ପିଇବା ପାଣି ପଠାଇବାର ବ୍ୟବସ୍ଥା କରାଯାଉଛି। ନିଜ ଚିକିତ୍ସା ପାଇଁ ଅାମେରିକା ଯିବାର ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପି. ବିଜୟନ ଏହାକୁ ବାତିଲ କରିଛନ୍ତି। ଅାଜି ସେ ଏକ ଉଚ୍ଚସ୍ତରୀୟ ବୈଠକ କରିବାର ଅଛି। କେନ୍ଦ୍ରକୁ ୨ ହଜାର କୋଟି ଟଙ୍କାର ସହାୟତା ମାଗିଛନ୍ତି ପି. ବିଜୟନ୍।

ସେପଟେ କେରଳରେ ବନ୍ୟା ପ୍ରଭାବିତ ଓଡ଼ିଆଙ୍କୁ ସହାୟତା ଯୋଗାଇବା ପାଇଁ ଚିଠି ଲେଖିଲା ଓଡ଼ିଶା।  କେରଳର ଅତିରିକ୍ତ ଶାସନ ସଚିବ ତଥା ରିଲିଫ୍ କମିଶନରଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର। ବନ୍ୟା ପ୍ରଭାବିତ ଓଡ଼ିଆ ଲୋକଙ୍କୁ ସହାୟତା ଦେବାକୁ ଚିଠିରେ ଅନୁରୋଧ କରାଯାଇଛି। ଫୋନ୍ ନମ୍ବର ସହ ୧୮୭ ଜଣ ଓଡ଼ିଆଙ୍କର ଏକ ଚିଠା ମଧ୍ୟ ଦେଇଛନ୍ତି ରାଜ୍ୟ ସରକାର।

You might also like