ଗମ୍ଭୀର ହେଉଛି କେରଳ ବନ୍ୟା ପରିସ୍ଥିତି; ଉଦ୍ଧାର ପାଇଁ ଓଡ଼ିଶାରୁ ଯିବେ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର/ଥିରୁଅନନ୍ତପୁରମ୍‌: ଦିନକୁ ଦିନ କେରଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୩୨୪କୁ ବୃଦ୍ଧି ପାଇଛି। ଗତ ୧୦୦ ବର୍ଷ ମଧ୍ୟରେ ଏହା ସବୁଠାରୁ ଭୟଙ୍କର ବନ୍ୟା ବୋଲି କୁହାଯାଉଛି।

ସ୍ଥିତି ଅନୁଧ୍ୟାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି କେରଳରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆକାଶମାର୍ଗରୁ ଆଜି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ସେନାର ଯବାନଙ୍କ ସହ ଏନ୍‌ଡିଆରଏଫ୍ ଓ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଛନ୍ତି।

ସେହିପରି ରିଲିଫ ଓ ଉଦ୍ଧାର କାମରେ ସହାୟତା କରିବାକୁ ଓଡ଼ିଶାରୁ ୨୪୦ ଜଣ ଅଗ୍ନିଶମ କର୍ମଚାରୀ କେରଳ ଯିବେ। ୭୫ଟି ପାଓ୍ୱାର ବୋଟ୍ ମଧ୍ୟ ନିଆଯିବ। ଅଗ୍ନିଶମ ଡିଜି ବି.କେ ଶର୍ମା ଏହି ଟିମ୍‌ର ଫ୍ଲାଗ୍ ଅଫ୍ କରିବେ।

ଅନ୍ୟପକ୍ଷରେ କେରଳରେ ଫସିଥିବା ଓଡ଼ିଆ ଲୋକଙ୍କ ପାଇଁ ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ ବିଭାଗ ହେଲ୍‌ପ ଲାଇନ୍ ନମ୍ବର ଜାରି କରିଛି। ଟୋଲ୍ ଫ୍ରି ହେଲ୍‌ପ ଲାଇନ୍ ନମ୍ବର ହେଉଛି ୧୦୭୦ ଏବଂ ଅନ୍ୟ ହେଲ୍‌ପ ଲାଇନ୍ ନମ୍ବର ରହିଛି ୦୬୭୪- ୨୫୩୪୧୭୭। ଏହି ହେଲ୍‌ପ ଲାଇନ ନମ୍ବରରେ ଫସିଥିବା ଲୋକଙ୍କ ସଂପର୍କୀୟମାନେ ଯୋଗାଯୋଗ କରିପାରିବେ।

୧୪ଟି ଜିଲ୍ଲା ମଧ୍ୟରୁ ୧୩ଟି ଜିଲ୍ଲାରେ ରେଡ୍ ଅାଲର୍ଟ ଘୋଷଣା କରାଯାଇଛି। ବନ୍ୟାରେ ରାଜ୍ୟର ପ୍ରାୟ ୮ ହଜାର ୩୧୬ କୋଟି ଟଙ୍କାର ରାଜସ୍ୱ ହାନି ହୋଇଛି। ସଡକ, ରେଳପଥ ସହ କୋଚି ବିମାନ ବନ୍ଦର ମଧ୍ୟ ଜଳମୟ ହୋଇପଡ଼ିଛି। ସୁରକ୍ଷା ଦୃଷ୍ଟିରୁ ଅାସନ୍ତା ୨୪ ତାରିଖ ପର୍ଯ୍ୟନ୍ତ କୋଚି ବିମାନ ବନ୍ଦରରୁ ବିମାନ ଚଳାଚଳ ବନ୍ଦ କରାଯାଇଛି।

ଏରନାକୁଲମ ଓ ଅାଲୁଭ ଭଳି ଅଂଚଳରେ ଅନେକ ଲୋକ ପାଣି ଘେରରେ ଫସି ରହିଥିବାରୁ, ସେମାନଙ୍କୁ ହେଲିକପ୍ଟର ସହାୟତାରେ ଉଦ୍ଧାର କରାଯାଇଛି। ୨ ଲକ୍ଷ ୨୩ ହଜାର ଲୋକଙ୍କୁ ୧୫୬୮ଟି ଅାଶ୍ରୟସ୍ଥଳୀରେ ରଖାଯାଇଛି।

You might also like