କମୁଛି ପାଣି, ବଢ଼ୁଛି ଦୁର୍ଦ୍ଦଶା

କୋଚି: ପ୍ରଳୟଙ୍କରୀ ବନ୍ୟା ପ୍ରକୋପରୁ ଏଯାଏ ନିସ୍ତାର ପାଇଁ ନାହାନ୍ତି କେରଳବାସୀ। କିଛି ଅଞ୍ଚଳରରେ ପାଣି କମୁଥିବାବେଳେ ଅନେକ ମୃତଦେହ ଉଦ୍ଧାର ହେଉଛି। ତ୍ରିସୁର ଓ ଚେନ୍‌ଗାନ୍ନୁରରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜୋରଦାର ଚାଲିଛି। ଇତି ମଧ୍ୟରେ କେନ୍ଦ୍ର ସରକାର କେରଳର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ଏକ ‘ଗୁରୁତର ପ୍ରାକୃତିକ ବିପର୍ଯ୍ୟୟ’ ବୋଲି ଘୋଷଣା କରିଛନ୍ତି।

ସେହିପରି ଥିରୁଅନନ୍ତପୁରମ୍‌ର ଏକ ଗାଁରେ ଫସିଥିବା ପ୍ରାୟ ୬୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି। ବନ୍ୟା ଓ ବର୍ଷା ପାଣି ଛାଡ଼ିବା ପରେ ଗତକାଲି କୋଚି ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ ହୋଇଥିଲା। ସେହିପରି ଥିରୁଅନନ୍ତପୁରମ ଓ ଏର୍ଣ୍ଣାକୁଲମ ମଧ୍ୟରେ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ଅଗଷ୍ଟ ୮ରୁ କେରଳରେ ଜାରି ରହିଥିବା ଲଗାଣ ବର୍ଷା ଜନିତ ମୃତ୍ୟୁସଂଖ୍ୟା ଇତି ମଧ୍ୟରେ ୨୩୯ରେ ପହଞ୍ଚିଛି ବୋଲି ମୁଖ୍ୟମନ୍ତ୍ରୀ ପୀନରାୟୀ ବିଜୟନ୍‌ ସୂଚନା ଦେଇଛନ୍ତି।

ସମଗ୍ର କେରଳରେ ୩୭୦୦ ମେଡିକାଲ୍‌ କ୍ୟାମ୍ପ ଖୋଲାଯାଇ ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଆଇଏନ୍‌ଏସ୍‌ ଦୀପକ ଦ୍ୱାରା ମୁମ୍ବାଇରୁ ରିଲିଫ୍‌ ସାମଗ୍ରୀ ସହ ୮୦୦ ଟନ୍‌ ପିଇବା ପାଣି, ୧୮ ଟନ୍‌ ଔଷଧ କେରଳରେ ପହଞ୍ଚିଛି। ଲୋକଙ୍କୁ ସମସ୍ତ ପ୍ରକାରର ସହଯୋଗ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିବେଦନ କରାଯାଇଛି।

ଏପଟେ କେରଳ ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢ଼ାଇଛି ଓଡ଼ିଶା IAS ଓ IPS ସଂଘ। ସଂଘ ପକ୍ଷରୁ ବନ୍ୟା ପୀଡ଼ିତଙ୍କୁ ଦିନକର ଦରମା ଅର୍ଥ ଦେବାକୁ ନିଷ୍ପତ୍ତି ନିଆଯାଇଛି।

You might also like