କାଶ୍ମୀର ଛାତ୍ର ସୋହେଲଙ୍କ ଏଯାଏଁ ପତ୍ତା ମିଳୁନି
ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ପଢ଼ୁଥିବା କାଶ୍ମୀର ଛାତ୍ର ସୋହେଲଙ୍କର ଏଯାଏଁ କୌଣସି ପତ୍ତା ମିଳିପାରିନାହିଁ। ଶେଷରେ ପୁଅକୁ ଖୋଜିବାକୁ ପରିବାର ଲୋକ ପୋଲିସର ସହାୟତା ଲୋଡିଛନ୍ତି ।
ସୋହେଲ ଏକ ବାହାଘର ଉତ୍ସବରେ ଯୋଗ ଦେବାକୁ ଯାଉଥିବା କଥା ନିଜ ସହପାଠୀଙ୍କୁ କହିଥିଲେ ଓ ୧୭ରେ ଫେରିବେ ବୋଲି ମଧ୍ୟ ସୂଚନା ବି ଦେଇଥିଲେ। ତେବେ ୧୭ରେ ନଫେରିବାରୁ ୧୮ ତାରିଖରେ ଖଣ୍ଡଗିରି ଥାନାରେ ଏମ୍ସ କର୍ତ୍ତୃପକ୍ଷ ଏତଲା ଦାୟର କରିଥିଲେ।
ଅନ୍ୟପକ୍ଷରେ, ପୋଲିସ ସୋହେଲଙ୍କ ରୁମରୁ ଏକ ହାତଲେଖା ଚିଠି ଜବତ କରିଛି। ଏଥିରେ ‘ଆଇ କୁଇଟ୍, ଥ୍ୟାଙ୍କସ ଟୁ ଅଲ୍’ ଲେଖାଯାଇଥିବା ପୋଲିସ ସୂଚନା ଦେଇଛି। ସେହିପରି ସୋହେଲଙ୍କ ଫୋନ ଶେଷଥର ପାଇଁ ଗତ ୧୦ ତାରିଖରେ ପଶ୍ଚିମବଙ୍ଗ ହାଓ୍ୱଡ଼ାରେ ଟ୍ରାକ୍ ହୋଇଥିବା ପୋଲିସ କହିଛି।
କୁହାଯାଉଛି ଯେ, ସୋହେଲ ଗତ ପରୀକ୍ଷାରେ ଖରାପ କରିଥିଲେ। ସେପଟେ ସୋହେଲଙ୍କ ଘର କୁପଓ୍ୱାରା ଜିଲ୍ଲା ବି ଅତି ଆତଙ୍କବାଦ ପ୍ରବଣ ତେଣୁ ତାଙ୍କ ରହସ୍ୟମୟ ନିଖୋଜ ପଛରେ ଏସବୁର କିଛି ଲିଙ୍କ ରହିଛି କି? ତାକୁ ନେଇ ବି ପ୍ରଶ୍ନ ଉଠିଛି।
ଜାମ୍ମୁ ଓ କାଶ୍ମୀରର କୁପଓ୍ୱାଡ଼ା ଜିଲ୍ଲାର ସୋହେଲ ୨୦୧୬ରୁ ଭୁବନେଶ୍ୱର ଏମ୍ସରେ ପଢୁଥିଲେ। ତେବେ ଗତ ୯ ତାରିଖରୁ ତାଙ୍କର ପତ୍ତା ମିଳୁନାହିଁ ଯାହାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।