ସରିଲା କର୍ଣ୍ଣାଟକ ବିଧାନସଭା ନିର୍ବାଚନ

କର୍ଣ୍ଣାଟକ : ସରିଲା କର୍ଣ୍ଣାଟକ ଭୋଟ୍। ଇଭିଏମରେ ସିଲ୍ ହୋଇଛି ୨ହଜାର ୬୫୪ ପ୍ରାର୍ଥୀଙ୍କ ଭାଗ୍ୟ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୨୨୨ ଆସନ ଲାଗି ମତଦାନ ଶେଷ ହୋଇଛି। ମତଦାନ ବେଳେ କିଛି ଅଞ୍ଚଳରେ ଭୋଟିଂ ମେସିନରେ ତ୍ରୁଟି ପରିଲକ୍ଷିତ ହେବାରୁ ଭୋଟ୍ ଗ୍ରହଣରେ ବିଳମ୍ବ ହୋଇଥିଲା।

ସେପଟେ ମତଦାନ ଚାଲିଥିବା ବେଳେ କିଛି ସ୍ଥାନରେ ମାରପିଟ୍ ଓ ଭୋଟରଙ୍କୁ ଟଙ୍କା ବଣ୍ଟାର ଅଭିଯୋଗ ବି ଆସିଛି। ଏହି ହାଇଭୋଲଟେଜ୍ ଲଢ଼େଇରେ ବିଜେପି, କଂଗ୍ରେସ ଓ ଜେଡିଏସ ମଧ୍ୟରେ ହୋଇଛି କଡ଼ା ଟକ୍କର। ବିଜୟ ନେଇ ପୁରା ନିଶ୍ଚିତ ରହିଛି ବିଜେପି। ଏପରିକି ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ୟେଦୁରପ୍ପା ଆସନ୍ତା ୧୭ରେ ଶପଥ ଗ୍ରହଣ ଲାଗି ଆଗୁଆ ତାରିଖ ଘୋଷଣା କରିସାରିଛନ୍ତି। ସେପଟେ କଂଗ୍ରେସ ୧୨୦ ସିଟ୍ ସହ ପୁଣି ସରକାର ଗଠନ ପାଇଁ ଦୃଢ଼ ନିଶ୍ଚିତ ଥିବା କହିଛନ୍ତି ସିଦ୍ଦରମୈୟା। ଜେଡିଏସ ବି କ୍ଷମତାକୁ ଫେରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି।

ମତଦାନ ପାଇଁ ସକାଳୁ ସକାଳୁ ପୋଲିଂବୁଥ୍ ଆଗରେ ଦେଖିବାକୁ ମିଳିଥିଲା ଭୋଟର୍‌ଙ୍କ ଲମ୍ବା ଲାଇନ୍। ପୁରା ରାଜ୍ୟକୁ ଗ୍ରାସିଥିଲା ଇଲେକ୍ସନ ଫିଭର। ମୁଖମନ୍ତ୍ରୀ ସିଦ୍ଦରମୈୟା ଚାମୁଣ୍ଡେଶ୍ୱରୀରେ ମତଦାନ କରିଥିଲେ। ସେହିଭଳି ଶିକିରିପୁରାରରେ ୟେଦୁରପ୍ପା ଭୋଟ୍ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ୍ ନେତା ମଲ୍ଲିକାର୍ଜୁନ ଖାର୍ଗେ, କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର, ଜେଡିଏସ୍ ସୁପ୍ରିମୋ ଏଚ୍. ଡି. ଦେବଗୌଡ଼ା, କ୍ରିକେଟର ଅନୀଲ କୁମ୍ବଲେ, ରାହୁଲ ଦ୍ରାବିଡ଼, ଅଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ପ୍ରମୁଖ ଧାଡ଼ିରେ ଛିଡ଼ା ହୋଇ ମତଦାନ କରିଥିଲେ। ସେହିପରି ବେଙ୍ଗାଲୁରୁରେ ରହୁଥିବା ଓଡ଼ିଆମାନେ ବି ବହୁସଂଖ୍ୟାରେ ମତଦାନ କରିଛନ୍ତି।

ଗଣତନ୍ତ୍ରର ଏହି ମହାନ୍ ପର୍ବରେ ୧୧୧ ବର୍ଷୀୟ ବୃଦ୍ଧଙ୍କଠାରୁ ଆରମ୍ଭ କରି ଦିବ୍ୟାଙ୍ଗ ବି ସାମିଲ୍ ହୋଇଥିଲେ।ଧରଓ୍ୱାଡ଼ରେ ନବ ବିବାହିତ  ବରକନ୍ୟା ଓ ମାଡିକୁଇରେ ବିବାହ ବେଦିକୁ ଯିବା ପୂର୍ବରୁ ଜଣେ ଯୁବତୀ ବି ବୁଥକୁ ଆସି ଭୋଟ୍ ଦେଇଥିଲେ।

You might also like