କାଞ୍ଚି କାମକୋଟି ପୀଠର ଶଙ୍କରାଚାର୍ଯ୍ୟ ଜୟେନ୍ଦ୍ର ସରସ୍ୱତୀଙ୍କ ପରଲୋକ
ଚେନ୍ନାଇ: କାଞ୍ଚି କାମକୋଟି ପୀଠର ଶଙ୍କରାଚାର୍ଯ୍ୟ ଜୟେନ୍ଦ୍ର ସରସ୍ୱତୀଙ୍କ ତାମିଲନାଡ଼ୁର କାଞ୍ଚିପୁରମ୍ ଠାରେ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା।
ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ୬୯ତମ ଶଙ୍କରାଚାର୍ଯ୍ୟ ଭାବେ ପରିଚିତ ଜୟେନ୍ଦ୍ର ସରସ୍ୱତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଗତ କିଛି ବର୍ଷ ଧରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ରହୁ ନଥିଲା।
୧୯୫୪ରେ ଜୟେନ୍ଦ୍ର ସରସ୍ୱତୀ ଶଙ୍କରାଚାର୍ଯ୍ୟ ହୋଇଥିଲେ। ୧୯୯୪ ମସିହାରେ ତାଙ୍କୁ କାଞ୍ଚି ମଠର ପ୍ରମୁଖ କରାଯାଇଥିଲା। କାଞ୍ଚି ମଠ ଅଧୀନରେ ଅନେକ ସ୍କୁଲ, ହସ୍ପିଟାଲ ପରିଚାଳିତ ହେଉଛି।
୧୯୫୪ ମସିହା ମାର୍ଚ୍ଚ ୨୨ରେ ଜୟେନ୍ଦ୍ର ସରସ୍ୱତୀଙ୍କୁ ଶ୍ରୀ ଚନ୍ଦ୍ରେଶେଖରେନ୍ଦ୍ର ସରସ୍ୱତୀଙ୍କ ଦ୍ୱାରା ଉତ୍ତରାଧିକାରୀ ଭାବେ ଘୋଷିତ କରାଯିବା ସହ ଜୟେନ୍ଦ୍ର ସରସ୍ୱତୀ ଉପାଧି ଦିଆଯାଇଥିଲା।
ଶଙ୍କରାଚାର୍ଯ୍ୟ ଜୟେନ୍ଦ୍ର ସରସ୍ୱତୀଙ୍କ ପରଲୋକରେ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।